
Virat Kohli Records : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିରାଟଙ୍କ ନଜର, ଭାଙ୍ଗିପାରନ୍ତି ସଚିନଙ୍କ ରେକର୍ଡ
ଟିମ୍ ଇଣ୍ଡିଆ ନଭେମ୍ବର ୪ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ଖେଳିବ । ଏହି ସିରିଜ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଥିବା ବେଳେ ସମସ୍ତଙ୍କ ଫୋକସରେ ରହିବେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଅକଲାଣ୍ଡର ଇଡେନ୍ ପାର୍କରେ ନଭେମ୍ବର ୪ରେ ପ୍ରଥମ ମ୍ୟାଚ୍ ଖେଳାଯିବ ।
ଏହି ସିରିଜରେ ବିରାଟଙ୍କ ପାଖରେ ୩ଟି ବଡ଼ ରେକର୍ଡ ହାସଲ କରିବାର ସୁଯୋଗ ରହିଛି । ସେ ଦିନିକିଆ କ୍ରିକେଟରେ ଇତିମଧ୍ୟରେ ୫୫ଟି ଶତକ ହାସଲ କରିସାରିଛନ୍ତି । ଏବେ ତାଙ୍କ ନଜର ବିଦେଶୀ ମାଟିରେ ୫୦ ଥର ୫୦ରୁ ଅଧିକ ରନ୍ କରିବା, ନମ୍ବର-୩ରେ ବ୍ୟାଟିଂ କରି ୧୩ ହଜାର ରନ୍ ପୂରଣ କରିବା ଏବଂ ଲିଷ୍ଟ-ଏ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବା ଉପରେ ରହିଛି ।
ବିଦେଶୀ ମାଟିରେ ବିରାଟ କୋହଲିଙ୍କ ରେକର୍ଡ ରହିଛି । ସେ ଏପର୍ଯ୍ୟନ୍ତ ବିଦେଶରେ ୧୨୭ଟି ଦିନିକିଆ ମ୍ୟାଚର ୧୨୭ଟି ଇନିଂସରେ ୫୩.୯୬ ହାରରେ ୫,୬୧୨ ରନ୍ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ସାମିଲ ରହିଛି । ବର୍ତ୍ତମାନ ବିଦେଶୀ ମାଟିରେ ଦିନିକିଆରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାରେ ବିରାଟ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ତାଙ୍କ ନାମରେ ଏବେ ୪୯ ଥର ଏହି ସଫଳତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଏକ ଅର୍ଦ୍ଧଶତକ କିମ୍ବା ଶତକ ହାସଲ କଲେ ସେ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଏହି ରେକର୍ଡ କରିବେ ।
ଦିନିକିଆ କ୍ରିକେଟରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରି ବିରାଟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ସ୍ଥାନରେ ସେ ଏପର୍ଯ୍ୟନ୍ତ ୨୫୦ଟି ଇନିଂସରେ ୬୧.୫୫ ହାରରେ ୧୨,୯୮୮ ରନ୍ କରିଛନ୍ତି । ୧୩ ହଜାର ରନ୍ ପୂରଣ କରିବା ପାଇଁ ତାଙ୍କୁ ମାତ୍ର ୧୨ ରନ୍ ଆବଶ୍ୟକ । ସେ ଦିନିକିଆ କ୍ରିକେଟରେ ଗୋଟିଏ ବ୍ୟାଟିଂ ସ୍ଥାନରେ ୧୩ ହଜାର ରନ୍ କରିବାରେ ଦ୍ୱିତୀୟ ବ୍ୟାଟର ହେବେ । ଏହା ପୂର୍ବରୁ ସଚିନ ତେନ୍ଦୁଲକର ଓପନିଂ କରି ୧୫,୩୧୦ ରନ୍ କରିଥିଲେ । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ନମ୍ବର-୩ରେ ୧୨,୬୬୨ ରନ୍ କରିଥିଲେ । ବିରାଟଙ୍କ ୫୫ଟି ଦିନିକିଆ ଶତକ ମଧ୍ୟରୁ ୪୮ଟି ଏହି ବ୍ୟାଟିଂ ସ୍ଥାନରେ ଆସିଛି ।
ବିରାଟଙ୍କ ଲିଷ୍ଟ-ଏ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ସେ ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କ ସହ ସମାନ ଅଛନ୍ତି । ଉଭୟଙ୍କ ନାମରେ ୬୦ଟି ଲେଖାଏଁ ଶତକ ରହିଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଆଉ ଏକ ଶତକ ହାସଲ କରି ବିରାଟ ସଚିନଙ୍କୁ ପଛରେ ପକାଇବା ସହ ଏହି ଫର୍ମାଟରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର ହେବାର ସୁଯୋଗ ପାଇବେ ।