
କୋଟପାଡ଼ରେ ସୁରକ୍ଷା ବ୍ୟବସ୍ଥା ଫେଲ୍: କ୍ୟାମେରା ବନ୍ଦ, ବଢୁଛି ଚୋରି
କୋଟପାଡ଼ ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା । ଅଚଳ ଟ୍ରାଫିକ୍ ସିଗନାଲ୍, ଅଚଳ ସିସିଟିଭି । ଉନ୍ନତି ନାଁରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଏବେ ପ୍ରଶ୍ନ ଘେରରେ । ପ୍ରାୟ ୬ ବର୍ଷ ତଳେ ୨୨ ଲକ୍ଷ ଟଙ୍କାରେ ଲାଗିଥିଲା ଟ୍ରାଫିକ୍ ସିଗନାଲ୍ । ହେଲେ ଆଜି ନା ଜଳୁଛି ଲାଲ୍ ଆଲୋକ, ନା ଦେଖାଯାଉଛି ସବୁଜ ସଙ୍କେତ । ସହରର ଗହଳିପୂର୍ଣ୍ଣ ଛକରେ ଅଚଳ ହୋଇ ପଡ଼ିଛି ସିଗନାଲ୍ ବ୍ୟବସ୍ଥା । ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ । ପ୍ରଶାସନ ଓ ପୋଲିସ ବିଭାଗ ମଧ୍ୟରେ ଦୋଷ ଲଦାଲଦି । ଆଉ ଏହାର ଭାର ବୋହୁଛନ୍ତି ସାଧାରଣ ଲୋକ।
ସହରର ସୁରକ୍ଷା ପାଇଁ ଲାଗିଥିବା ସିସିଟିଭିର ଅବସ୍ଥା ଆହୁରି ଦୟନୀୟ । ପୂର୍ବରୁ ୧୦ ଲକ୍ଷ ଟଙ୍କାରେ ଲାଗିଥିଲା ସିସିଟିଭି । ଅଚଳ ହେବା ପରେ ପୁଣି ୧୫ ଲକ୍ଷ ଟଙ୍କାରେ ଲାଗିଲା ନୂଆ କ୍ୟାମେରା । କିନ୍ତୁ ଏବେ ଚାଲୁଛି ମାତ୍ର ୬ଟି । ବାକି କ୍ୟାମେରା ଅଚଳ ହୋଇ ପଡ଼ିଛି । ଏପଟେ ବଢ଼ୁଛି ଚୋରି ଓ ଡକାୟତି । ସୁରକ୍ଷା ବ୍ୟବସ୍ଥା ଏମିତି ହେଲେ, ଅପରାଧୀଙ୍କ ଉପରେ ନଜର ରଖିବ କିଏ? ସେପଟେ ଅଞ୍ଚଳବାସୀଙ୍କ ପ୍ରଶ୍ନ କାହା ସ୍ୱାର୍ଥ ପାଇଁ ଲାଗିଥିଲା ଏହି ସିସିଟିଭି?
ତେବେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଖୁବଶୀଘ୍ର ମରାମତି ହେବ ସିସିଟିଭି କ୍ୟାମେରା । ଟ୍ରାଫିକ୍ ସିଗନାଲ୍ ମରାମତି ନେଇ ପୋଲିସ ପ୍ରଶାସନ ସହ ହେବ ଆଲୋଚନା । ପ୍ରତିଶ୍ରୁତି ତ ମିଳିଲା । ହେଲେ ପ୍ରଶ୍ନ ଏବେ ଗୋଟିଏ କେବେ ମରାମତି ହେବ? କେବେ ପୁଣି ଜଳିବ କୋଟପାଡ଼ର ଟ୍ରାଫିକ୍ ସିଗନାଲ୍? କେବେ ଆଖି ଖୋଲିବ ସହରର ସିସିଟିଭି? ନା ଲକ୍ଷ ଲକ୍ଷ ଟଙ୍କାର ଏହି ବ୍ୟବସ୍ଥା ଏମିତି ହିଁ ଖତ ଖାଇବ?