
ଏନସିଇଆରଟିରେ ବିଭିନ୍ନ ଚୁକ୍ତିଭିତ୍ତିକ ପଦବି ପାଇଁ ନିଯୁକ୍ତି, ଜୁଲାଇ ୩୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ
ନୂଆଦିଲ୍ଲୀ, (ଲୋକଙ୍କ ସ୍ୱର): ଏନସିଇଆରଟି ଅଧୀନସ୍ଥ କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (CIET) ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପରେ ଚୁକ୍ତିଭିତ୍ତିକ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୩୦ ରାତି ୧୧ଟା ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ପଦବି ପାଇଁ ଅଗଷ୍ଟ ୩ରୁ ୭ ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହେବ। ମନୋନୀତ ପ୍ରାର୍ଥୀମାନେ ସିଆଇଇଟି-ଏନସିଇଆରଟି, ନୂଆଦିଲ୍ଲୀରେ କାର୍ଯ୍ୟ କରିବେ। ପ୍ରାରମ୍ଭିକ ନିଯୁକ୍ତି ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବୈଧ ରହିବ।
ଏହି ନିଯୁକ୍ତି ପ୍ରକ୍ରିୟାରେ ବରିଷ୍ଠ ପରାମର୍ଶଦାତା (ବୈଷୟିକ), ପରାମର୍ଶଦାତା (ବୈଷୟିକ), ବରିଷ୍ଠ ପରାମର୍ଶଦାତା (ଏକାଡେମିକ), ପରାମର୍ଶଦାତା (ଏକାଡେମିକ), ଡାଟା ଆନାଲିଷ୍ଟ-ମୋବାଇଲ୍ ଆପ୍ ଡେଭଲପର, ଥ୍ରିଡି ଗ୍ରାଫିକ୍ସ ଡେଭଲପର, ଆନିମେଟର, ଗ୍ରାଫିକ୍ ଡିଜାଇନର, କଣ୍ଟେଣ୍ଟ ଡେଭଲପର (ବୈଷୟିକ) ଏବଂ ପ୍ରୋଗ୍ରାମର ଭଳି ପଦବିରେ ନିଯୁକ୍ତି ଦିଆଯିବ।
କିଏ କରିପାରିବେ ଆବେଦନ?
ପ୍ରତ୍ୟେକ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଭିନ୍ନ ଭିନ୍ନ ରହିଛି। ପ୍ରାର୍ଥୀମାନଙ୍କ ପାଖରେ ସମ୍ପୃକ୍ତ ବିଷୟରେ ଆବଶ୍ୟକ ଡିଗ୍ରି ଥିବା ସହ ସ୍କୁଲ ଶିକ୍ଷା, ଗବେଷଣା, ଶିକ୍ଷାଦାନ, ତାଲିମ, ସମ୍ପ୍ରସାରଣ କାର୍ଯ୍ୟକଳାପ ଓ ବିଷୟବସ୍ତୁ ବିକାଶ କ୍ଷେତ୍ରରେ ଅଭିଜ୍ଞତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।
₹୪୦,୦୦୦ କିମ୍ବା ତା’ଠାରୁ ଅଧିକ ମାସିକ ପାରିଶ୍ରମିକ ଥିବା ପଦବି ପାଇଁ ଅଭିଜ୍ଞତା ଦାବି କରୁଥିବା ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ସମୟରେ ଦରମା ସ୍ଲିପ୍, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ଆୟକର ରିଟର୍ଣ୍ଣ ଭଳି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ତେବେ ଏମ୍.ଫିଲ୍. କିମ୍ବା ପିଏଚ୍.ଡି. ଅଧ୍ୟୟନ କାଳୀନ ଅଭିଜ୍ଞତାକୁ ବୃତ୍ତିଗତ ଅଭିଜ୍ଞତା ଭାବେ ଗଣନା କରାଯିବ ନାହିଁ।
ବର୍ତ୍ତମାନ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ବେଳେ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍ (NOC)’ ଉପସ୍ଥାପନ କରିବା ବାଧ୍ୟତାମୂଳକ। ଏନ୍ଓସି ବିନା ସାକ୍ଷାତକାରରେ ଅଂଶଗ୍ରହଣର ସୁଯୋଗ ମିଳିବ ନାହିଁ।
ସାକ୍ଷାତକାର ସମୟରେ ପ୍ରାର୍ଥୀମାନଙ୍କୁ ମୂଳ ଶିକ୍ଷାଗତ ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର, ନିର୍ଦ୍ଧାରିତ ଫର୍ମାଟରେ ବାୟୋଡାଟା ଓ ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ସହ ଉପସ୍ଥିତ ହେବାକୁ ଏନସିଇଆରଟି ପକ୍ଷରୁ କୁହାଯାଇଛି।