ଦେଶ ବିଦେଶ

ଅନଶନ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ, (ଲୋକଙ୍କ ସ୍ୱର): ଦୀର୍ଘ ଅନଶନ ପରେ ଅସୁସ୍ଥ ହୋଇ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ ସୋମବାର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ସେ ପ୍ରଥମେ ନୂଆଦିଲ୍ଲୀର ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଲଦାଖ ଫେରିବେ ବୋଲି ସୂଚନା ଦେଇଛନ୍ତି।

ସୋନମ ୱାଙ୍ଗଚୁକ କହିଛନ୍ତି ଯେ, ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟିଛି ଏବଂ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି। ଚିକିତ୍ସକ, ହସ୍ପିଟାଲ କର୍ମଚାରୀ ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବା ଦେଶବାସୀଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରିଛନ୍ତି।

ସେ ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ସାମାଜିକ ଓ ଜନସ୍ୱାର୍ଥ ସମ୍ପର୍କିତ ଆନ୍ଦୋଳନ ସର୍ବଦା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ। ରାଜଘାଟ ପରିଦର୍ଶନ ଅବସରରେ ସେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଆଜି ମଧ୍ୟ ସମାଜ ଓ ଦେଶ ପାଇଁ ସମାନ ଭାବେ ପ୍ରାସଙ୍ଗିକ ବୋଲି ମତ ପ୍ରକାଶ କରିଥିଲେ।

ୱାଙ୍ଗଚୁକ କହିଛନ୍ତି ଯେ, ଲଦାଖ ଫେରିବା ପରେ ସେ ସେଠାର ପରିବେଶ ସୁରକ୍ଷା, ସ୍ଥାନୀୟ ଲୋକଙ୍କ ଅଧିକାର ଏବଂ ସନ୍ତୁଳିତ ବିକାଶ ସମ୍ପର୍କିତ ପ୍ରସଙ୍ଗରେ ପୂର୍ବଭଳି କାର୍ଯ୍ୟ ଜାରି ରଖିବେ। ଦେଶର ବିଭିନ୍ନ ପ୍ରାନ୍ତରୁ ମିଳିଥିବା ସମର୍ଥନ ତାଙ୍କୁ ନୂତନ ଉତ୍ସାହ ଓ ପ୍ରେରଣା ଦେଇଛି ବୋଲି ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button