
ଲଘୁଚାପ ବର୍ଷାରେ ବେହାଲ ଅଧା ଓଡ଼ିଶା
ଭୁବନେଶ୍ୱର, ୨୯ ଜୁଲାଇ (ଲୋକଙ୍କ ସ୍ୱର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଅନେକ ସ୍ଥାନରେ ରାସ୍ତା, ପୋଲ, ଘର ଓ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେନ୍ଦୁଝର ଜିଲ୍ଲାର ଘସିପୁରା ଅଞ୍ଚଳରେ ସ୍ଥିତି ସବୁଠାରୁ ସଙ୍କଟଜନକ। ଶାଳପଡ଼ା–ସରେଇ ରାସ୍ତାରେ ପ୍ରାୟ ୩ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ବର୍ଷ ବର୍ଷ ଧରି ପୋଲ ନିର୍ମାଣ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ସ୍ଥାନୀୟ ଲୋକଙ୍କ ଦୁର୍ଭୋଗ ଆହୁରି ବଢ଼ିଛି। ତେଲକୋଇ ଡାକବଙ୍ଗଳା ନିକଟ ସମାକୋଇ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ତେଲକୋଇ-ଭୁବନେଶ୍ୱର-କଟକ-ଢେଙ୍କାନାଳ-ତାଳଚେର-କାଳିଆହତା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।/filters:format(webp)/sambad/media/media_files/2026/07/28/whatsapp-image-2026-07-28-18-59-35.jpeg)
ବାଂଶପାଳ ବ୍ଲକରେ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ବନ୍ୟାଜଳର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ତତ୍ପରତାରେ ତାଙ୍କୁ ଉଦ୍ଧାର କରାଯାଇ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଯାଇଛି। ଯାଜପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଲଗାତାର ବର୍ଷା ଯୋଗୁଁ ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି। ଜିଲ୍ଲାର ବରୀ, ଧର୍ମଶାଳା, ରସୁଲପୁର, ଦଶରଥପୁର, ବିଞ୍ଝାରପୁର, କୋରେଇ ଓ ଯାଜପୁର ସଦର ବ୍ଲକର ବହୁ ନିମ୍ନାଞ୍ଚଳରେ ବର୍ଷାଜଳ ଜମି ରହିଥିବା ବେଳେ କିଛି ଗ୍ରାମୀଣ ରାସ୍ତା ଜଳମଗ୍ନ ହୋଇ ଯାତାୟାତ ବ୍ୟାହତ ହୋଇଛି। ଶହ ଶହ ଏକର ଧାନ ଓ ପନିପରିବା ଚାଷଜମି ପାଣି ତଳେ ରହିଥିବାରୁ ଚାଷୀଙ୍କ ମଧ୍ୟରେ କ୍ଷତିର ଆଶଙ୍କା ବଢ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାପ୍ରବଣ ଅଞ୍ଚଳ ଉପରେ ସତର୍କ ନଜର ରଖାଯାଇଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀ ଓ ପୋଲ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।/filters:format(webp)/sambad/media/media_files/2026/07/28/whatsapp-image-2026-07-28-17-43-40.jpeg)
ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍କୁ ମଧ୍ୟ ଆବଶ୍ୟକ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି।ସେହିପରି ଘସିପୁରା କେଶଦୁରାପାଳ ଗାଁରେ ଜଣେ ଯୁବତୀ ବନ୍ୟାଜଳର ସ୍ରୋତରେ ଭାସିଯାଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି କରିଛି। ଉଦଳା-ବାଲେଶ୍ୱର ମୁଖ୍ୟ ରାସ୍ତାର ବାଉଁଶପାଳ ଗ୍ରାମରେ ପାଣି ପଶିବା ସହ ଅଙ୍ଗନବାଡ଼ି କେନ୍ଦ୍ର ଓ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷଜମି ପାଣି ତଳେ ରହିଛି। ସମ୍ବଲପୁର ସହରରେ ରାତିରୁ ଲଗାଣ ବର୍ଷା ଜାରି ରହିଥିବାରୁ ପଟ୍ଟନାୟକପଡ଼ାରେ ଏକ ପୁରୁଣା ଘର ଭୁଶୁଡ଼ି ପଡ଼ିଛି। ଉପର ମହଲାରେ ଫସିଥିବା ଜଣେ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ବନ୍ୟାଜଳର ପ୍ରଭାବରୁ ଧାର୍ମିକ ପୀଠଗୁଡ଼ିକ ମଧ୍ୟ ମୁକ୍ତି ପାଇନାହାନ୍ତି। ବାଲେଶ୍ୱରର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ୬ରୁ ୮ ଫୁଟ୍ ଉଚ୍ଚର ପାଣି ଜମିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ପ୍ରସିଦ୍ଧ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ଗର୍ଭଗୃହରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ଅନ୍ୟପକ୍ଷରେ କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଜୟପୁରରେ ଏକ ପାଚେରୀ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ନଦୀ ଓ ପୋଲ ନିକଟକୁ ନଯିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି।