
Maruti Victoris: ନୂଆ ଅବତାରରେ ମାରୁତି ଭିକ୍ଟୋରିସ୍, ଲଗ୍ଜୁରୀ ଲୁକ୍ ସହ ଆସିଲା ଅରମ୍ ଏଡିସନ୍
ଭାରତୀୟ ଅଟୋମୋବାଇଲ୍ ବଜାରରେ ମାରୁତି ସୁଜୁକିର ଚାହିଦା ବେଶ୍ ଅଧିକ ରହିଛି । କମ୍ପାନୀର ବିଭିନ୍ନ ମଡେଲ୍କୁ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ବେଳେ ଏବେ ଚର୍ଚ୍ଚାରେ ରହିଛି ମାରୁତି ସୁଜୁକି ଭିକ୍ଟୋରିସ୍ର ନୂଆ ଅରମ୍ ଏଡିସନ୍ । ଗାଡ଼ିର ଲୁକ୍କୁ ଆହୁରି ଆକର୍ଷଣୀୟ ଓ ପ୍ରିମିୟମ୍ କରିବା ପାଇଁ କମ୍ପାନୀ ଏଥିରେ ଅନେକ କସ୍ମେଟିକ୍ ପରିବର୍ତ୍ତନ ସହ ନୂଆ ଆକ୍ସେସରିଜ୍ ସାମିଲ କରିଛି ।
ଏହି ନୂଆ ଏଡିସନ୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର କପର୍ ଓ କ୍ରୋମ୍ ଫିନିସ୍ । କାର୍ର ଫ୍ରଣ୍ଟ ସାଇଡ ଓ ବ୍ୟାକ ସାଇଡର ସ୍କିଡ୍ ପ୍ଲେଟ୍ ସହ ହ୍ୱିଲ୍ ଆର୍ଚ୍ରେ କପର୍ ରଙ୍ଗର ଆକ୍ସେଣ୍ଟ୍ ଦିଆଯାଇଛି । ଏହା ଗାଡ଼ିର ବଡି କଲର୍ ସହ ଏକ ଆକର୍ଷଣୀୟ କଣ୍ଟ୍ରାଷ୍ଟ୍ ସୃଷ୍ଟି କରୁଛି । ସେହିପରି ଫ୍ରଣ୍ଟ୍ ଗ୍ରିଲ୍, ଫେଣ୍ଡର୍ସ, ଫ୍ରଣ୍ଟ ଓ ବ୍ୟାକ ବମ୍ପର୍, ବଡି ସାଇଡ୍ ମୋଲ୍ଡିଂ ଏବଂ ଡୋର୍ ଭାଇଜର୍ରେ କ୍ରୋମ୍ ଫିନିସ୍ ଦିଆଯାଇଛି । କପର୍ ଓ କ୍ରୋମ୍ର ଏହି କମ୍ବିନେସନ ଗାଡ଼ିକୁ ଷ୍ଟାଣ୍ଡାର୍ଡ ମଡେଲ୍ ତୁଳନାରେ ଅଧିକ ପ୍ରିମିୟମ୍ ଲୁକ୍ ପ୍ରଦାନ କରୁଛି । ଯାହା ଲଗଜୁରିଅସ ଫିଲ ପ୍ରଦାନ କରିବ । କେବଳ ବାହାର ଲୁକ୍ ନୁହେଁ, ଗାଡ଼ିର ଭିତର ପାର୍ଟର ପ୍ରୋଟେକ୍ସନ ଓ ସୁବିଧା ପାଇଁ ମଧ୍ୟ ନୂଆ ଆକ୍ସେସରିଜ୍ ସାମିଲ କରାଯାଇଛି । ଏଥିରେ ଅଲ୍-ୱେଦର୍ 3D ଫ୍ଲୋର୍ ମ୍ୟାଟ୍, 3D ଲଗେଜ୍ କମ୍ପାର୍ଟମେଣ୍ଟ ମ୍ୟାଟ୍ ଏବଂ ରିୟର୍ ଟ୍ରଙ୍କ୍ ସିଲ୍ ଗାର୍ଡ ରହିଛି । ଏହି ସାମଗ୍ରୀଗୁଡ଼ିକ ଗାଡ଼ିର ଚଟାଣ ଓ ବୁଟ୍ ଏରିଆକୁ ଧୂଳି, ମଇଳା ଏବଂ ସ୍କ୍ରାଚ୍ରୁ ପ୍ରୋଟେକ୍ସନ ଦେବାରେ ସହାୟକ ହେବ ।
ଅନ୍ୟପଟେ, ଗାଡ଼ିର ମେନ ଫିଚର୍ସ ପୂର୍ବପରି ରହିଛି । ଏଥିରେ ଭେଣ୍ଟିଲେଟେଡ୍ ସିଟ୍, ବଡ଼ ଇନ୍ଫୋଟେନ୍ମେଣ୍ଟ ସ୍କ୍ରିନ୍ ଏବଂ ୩୬୦-ଡିଗ୍ରୀ କ୍ୟାମେରା ଭଳି ମର୍ଡନ ସୁବିଧା ମିଳୁଛି । ଇଞ୍ଜିନରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ଅରମ୍ ଏଡିସନ୍ ପ୍ୟାକେଜ୍ ମୁଖ୍ୟତଃ ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଭାରିଆଣ୍ଟ୍ଗୁଡ଼ିକ ପାଇଁ ଉପଲବ୍ଧ ବୋଲି ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । ଏଥିରେ ୧.୫ ଲିଟର୍ ପେଟ୍ରୋଲ୍ ଇଞ୍ଜିନ୍ ସହ ଇଲେକ୍ଟ୍ରିକ୍ ମୋଟର୍ ଏବଂ ଲିଥିୟମ୍-ଆୟନ୍ ବ୍ୟାଟେରୀ ପ୍ୟାକ୍ର କମ୍ବିନେସନ ରହିଛି । ଏହି ସିଷ୍ଟମ୍ ପ୍ରାୟ ୧୧୬ PS ମିଳିତ ପାୱାର୍ ଉତ୍ପାଦନ କରୁଥିବା ଦାବି କରାଯାଇଛି । ଏହା ସହ e-CVT ଅଟୋମେଟିକ୍ ଗିଅର୍ବକ୍ସ ମିଳୁଛି। କମ୍ପାନୀର ଦାବି ଅନୁଯାୟୀ, ଏହାର ମାଇଲେଜ୍ ଲିଟର୍ ପିଛା ୨୮.୬୫ କିଲୋମିଟର୍ ।
ଏବେ ଆସନ୍ତୁ ଦାମ୍ ବିଷୟରେ ଜାଣିବା । ଭିକ୍ଟୋରିସ୍ ଅରମ୍ ଏଡିସନ୍ର ଆକ୍ସେସରି କିଟ୍ର ମୂଲ୍ୟ ୨୨,୯୯୦ ଟଙ୍କା ରଖାଯାଇଥିବା ରିପୋର୍ଟରେ କୁହାଯାଇଛି । ଗ୍ରାହକମାନେ ନିଜ ପସନ୍ଦର ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଭାରିଆଣ୍ଟ୍ ସହ ଏହି ପ୍ୟାକେଜ୍ ଯୋଡ଼ିପାରିବେ । ତେବେ ଭିକ୍ଟୋରିସ୍ର ଭାରିଆଣ୍ଟ୍, ମୂଲ୍ୟ ଓ ଆକ୍ସେସରି ପ୍ୟାକେଜ୍ର ଉପଲବ୍ଧତା ସମ୍ପର୍କରେ କିଣିବା ପୂର୍ବରୁ ଡିଲର୍ଙ୍କଠାରୁ ନିଶ୍ଚିତ ହେବା ଜରୁରୀ । ଯେଉଁ ଗ୍ରାହକମାନେ ନିଜ କାର୍କୁ ଅଧିକ ଷ୍ଟାଇଲିସ୍ ଓ ପ୍ରିମିୟମ୍ ଲୁକ୍ ଦେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଭିକ୍ଟୋରିସ୍ ଅରମ୍ ଏଡିସନ୍ ଆକ୍ସେସରି କିଟ୍ ଏକ ଆକର୍ଷଣୀୟ ବିକଳ୍ପ ହୋଇପାରେ ।