ରାଜ୍ୟ

MP Accident: ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ, ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କର ଏକାଠି ଜଳିଲା ଜୁଇ

MP Accident ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି, ୭ ଜୁଇ। ସ୍ୱର୍ଗଦ୍ୱାରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଆଜି ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ହୋଇଛି । ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ବେଶ ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ,ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ, ସମେତ ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା । ଶିବ ପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୂଖାଗ୍ନି ଦେଇଛନ୍ତି । ଆଜି ଭୋର୍ ରୁ ସମସ୍ତ ମୃତକଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତେବେ ରାଜ୍ୟ ସରାକରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ।

ସେପଟେ ମଧ୍ୟ ପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରାଇଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ନଥିବାକୁ ନେଇ ସେ ପ୍ରଶାସନକୁ ଦାୟୀ କରିଛନ୍ତି । ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଚାଲିଯାଇଥିବା ୭ ଓଡ଼ିଆଙ୍କ ପାର୍ଥିବ ଶରୀର ରାତି ସାଢ଼େ ୧୨ଟାରେ ଜୟଦେବ ବିହାରରେ ପହଞ୍ଚିଥିଲା। ଓଡ଼ିଶାରୁ ଖୁସିରେ ଯାତ୍ରା କରିଥିବା ଗୋଟିଏ ପୂରା ପରିବାରର ସବୁ ସ୍ୱପ୍ନ ମୃତ୍ୟୁର ନାଳରେ ଭାସିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ନଦୀ ଭଳି ପ୍ରବାହିତ ଭୟଙ୍କର ଜଳସ୍ରୋତରେ ଆଖି ପିଛୁଳାକେ କାର୍ ଟାଣି ହୋଇଯିବା ଫଳରେ ଏକାସାଙ୍ଗରେ ୭ ଜଣ ଓଡ଼ିଆଙ୍କ ଜୀବନ ଚାଲିଯାଇଥିଲା।

ମୃତକ ମାନେ ହେଉଛନ୍ତି ବନମାଳି ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରୀତାରାଣୀ ବେହେରା, ରୀତାଙ୍କ ସ୍ବାମୀ ଜ୍ଞାନେନ୍ଦ୍ର ବେହେରା, ପୁଅ ବି.ସାଇ ସ୍ବାତୀକ, ଶିବଙ୍କ ଝିଅ ସାଇରା ସଂୟପ୍ରଭା ଓ ପୁଅ କ୍ରିଷ୍ଣା ରାଜବୀର ଏବଂ ବନମାଳିଙ୍କ ଅବିବାହିତ ଝିଅ ରାଧାରାଣୀ ବେହେରା । ସେମାନଙ୍କ ସହ ଗାଡ଼ି ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ମଧ୍ୟପ୍ରଦେଶରୁ ଆମ୍ବୁଲାନ୍ସ ଯୋଗେ ଜୟଦେବବିହାର ବାସଭବନରେ ପହଞ୍ଚିବା ପରେ ସେଠାରେ ପରିବାରଲୋକେ ସମସ୍ତ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ। ପରେ ମୃତ ଶରୀର ମାନଙ୍କୁ ନିଜ ପୈତୃକ ଗାଁ ଗାଡକଣରେ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା। ଶେଷରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button