
Bomb Threats: ୟୁରୋପ ଆକାଶରେ ବୋମା ଆତଙ୍କ, ଏକାଧିକ ଯାତ୍ରୀବାହୀ ବିମାନକୁ ଧମକ
ୟୁରୋପ ଆକାଶରେ ବୋମା ଆତଙ୍କ । ଗୋଟିଏ ପରେ ଗୋଟିଏ ଯାତ୍ରୀବାହୀ ବିମାନକୁ ମିଳୁଛି ବୋମା ଧମକ । ଆଜି ସକାଳେ ୟୁରୋପର ବିଭିନ୍ନ ଦେଶରେ ଏକାଧିକ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଗତିପଥ ବଦଳାଇ ଜରୁରୀ ଅବତରଣ କରାଯାଇଛି। ଫ୍ରାନ୍ସ, ବୁଲଗେରିଆ, ବେଲଜିୟମ ଓ ଇଟାଲୀ ସମେତ ବିଭିନ୍ନ ଦେଶର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆୟର୍ଲାଣ୍ଡର ଡବଲିନରୁ ଇଟାଲୀର ରୋମ୍ ଅଭିମୁଖେ ଯାଉଥିବା ଏର୍ ଲିଙ୍ଗସର EI402 ବିମାନକୁ ବୋମା ଧମକ ମିଳିବା ପରେ ଫ୍ରାନ୍ସକୁ ଡାଇଭର୍ଟ କରାଯାଇଥିଲା । ପ୍ୟାରିସଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଏଭ୍ରୋ ସାମରିକ ବିମାନଘାଟିରେ ଏହା ସୁରକ୍ଷିତ ଅବତରଣ କରିଥିଲା । ବିମାନରେ ଥିବା ୧୫୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ବିମାନର ଯାଞ୍ଚ କରାଯାଇଛି ।
ସେହିପରି ବୁଲଗେରିଆରେ ତିନୋଟି ବିମାନକୁ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରାଯାଇଛି । ଡେନମାର୍କର କୋପେନହେଗେନ୍ ଓ ସ୍ପେନର ମାଡ୍ରିଡରୁ ଆସୁଥିବା ଦୁଇଟି ବିମାନ ସୋଫିଆ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ଲଣ୍ଡନରୁ ଆସୁଥିବା ଅନ୍ୟ ଏକ ବିମାନକୁ ପ୍ଲୋଭଦିଭ୍ ବିମାନବନ୍ଦରକୁ ପଠାଯାଇଥିଲା । ଫିନଲ୍ୟାଣ୍ଡର ହେଲସିଙ୍କିରୁ ରୋମ୍ ଯାଉଥିବା ଫିନଏୟାର ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା । ଏହାପରେ ଇଟାଲୀ ବାୟୁସେନାର ଦୁଇଟି ଯୁଦ୍ଧବିମାନ ଏହାକୁ ସୁରକ୍ଷା ଦେଇ ରୋମ୍ ବିମାନବନ୍ଦର ପର୍ଯ୍ୟନ୍ତ ନେଇଥିଲେ । ବିମାନଟି ନିରାପଦରେ ଅବତରଣ କରିଥିଲା । ଅନ୍ୟପଟେ ପୋଲାଣ୍ଡର LOT ଏୟାରଲାଇନ୍ସର ଏକ ବିମାନ ବେଲଜିୟମର ବ୍ରସେଲ୍ସରେ ଅବତରଣ କରିଥିବା ଖବର ମିଳିଛି । ଚେକ୍ ରିପବ୍ଲିକ୍ ପ୍ରାଗ୍ ଅଭିମୁଖେ ଯାଉଥିବା ଚାରିଟି ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା । ତେବେ ଯାଞ୍ଚ ପରେ ସେଗୁଡ଼ିକରୁ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ଚେକ୍ ପୋଲିସ ସ୍ପଷ୍ଟ କରିଛି ।
ସବୁଠାରୁ ବଡ଼ କଥା ହେଉଛି, ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ୟୁରୋପରେ ଏଭଳି ବ୍ୟାପକ ବୋମା ଧମକ ଆସିଛି । ଗତ ମଙ୍ଗଳବାର ଅତିକମରେ ୭ଟି ବିମାନ ଓ ଗୋଟିଏ କ୍ରୁଜ୍ ଜାହାଜକୁ ବୋମା ଧମକ ମିଳିଥିଲା । ତେବେ ଯାଞ୍ଚ ବେଳେ କୌଣସି ବିସ୍ଫୋରକ ମିଳିନଥିଲା । ଏହି ଧମକ ପଛରେ କିଏ ରହିଛି ଏବଂ ଏକାସାଙ୍ଗରେ ଏତେ ସଂଖ୍ୟକ ବିମାନକୁ କାହିଁକି ଟାର୍ଗେଟ୍ କରାଯାଉଛି, ତାହାକୁ ନେଇ ତଦନ୍ତ ଚାଲିଛି । ୟୁରୋପରେ ବଢ଼ୁଥିବା ସାଇବର ଆକ୍ରମଣ ଓ ହାଇବ୍ରିଡ୍ ୱାରଫେୟାର ଆଶଙ୍କା ମଧ୍ୟରେ ଏହି ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇଛି । ତେବେ ଏହି ବୋମା ଧମକ ସହ କୌଣସି ଦେଶ କିମ୍ବା ସଂଗଠନର ସମ୍ପୃକ୍ତି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ।