
Low Pressure: ଆଜି ଅବପାତ ରୂପ ନେଇପାରେ ଲଘୁଚାପ: ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବା ସମ୍ଭାବନା
Low Pressure ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ପାଣିପାଗ ପ୍ରଣାଳୀର ଗତିପଥ ଏବଂ ତୀବ୍ରତା ଉପରେ ଲଗାତାର ନଜର ରଖାଯାଇଛି।
ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅନୁକୂଳ ପାଣିପାଗ ପରିସ୍ଥିତି କାରଣରୁ ଏହା ଆଜି ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ସୃଷ୍ଟି ହେବା ପରେ ଏହା ସମୁଦ୍ର ମଧ୍ୟରେ ଆହୁରି ଶକ୍ତି ସଂଗ୍ରହ କରିପାରେ ।
ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେବାର ଆକଳନ କରାଯାଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଏହି ସିଷ୍ଟମ ସେପ୍ଟେମ୍ବର ୨୩ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିପାରେ। ସେତେବେଳକୁ ଏହା ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିବାର ସମ୍ଭାବନା ଅଛି।
ସିଷ୍ଟମଟି ଉପକୂଳର କେଉଁ ସ୍ଥାନରେ ପହଞ୍ଚିବ କିମ୍ବା ସ୍ଥଳଭାଗ ଅତିକ୍ରମ କରିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ଜାରି ହୋଇନାହିଁ। ଏହା ବାତ୍ୟାରେ ପରିଣତ ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ତେବେ ସିଷ୍ଟମ ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ବଢ଼ିପାରେ। ବିଶେଷକରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ପାଣିପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି।