
ଭୁବନେଶ୍ୱରରେ ବାଲିଯାତ୍ରାର ମାହୋଲ, ଭବ୍ୟ ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁନ୍ଦର, ଶୃଙ୍ଖଳିତ ଓ ସଫଳ କରିବା ନିମନ୍ତେ ବାଲିଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ କମିଟିର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ରୀଡ଼ା, ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ବାଲିଯାତ୍ରା କମିଟିର ସମ୍ପାଦକ ସୁବାସ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
ବୈଠକରେ ଭୁବନେଶ୍ୱର ବାଲିଯାତ୍ରାକୁ ଓଡ଼ିଆ ଅସ୍ମିତା, ଐତିହ୍ୟ ଓ ସମୃଦ୍ଧ ସାମୁଦ୍ରିକ ପରମ୍ପରାର ଏକ ପ୍ରମୁଖ ପ୍ରତୀକ ଭାବେ ଅଧିକ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବାଲିଯାତ୍ରାର ଐତିହାସିକ ମହତ୍ତ୍ୱ ଓ ଓଡ଼ିଆ ଅସ୍ମିତାର ଗୌରବମୟ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା । ଚଳିତ ବର୍ଷ ଏହାକୁ କିପରି ସମ୍ପ୍ରସାରଣ କରାଯାଇ ପାରିବ ଏବଂ ଅଧିକ ଷ୍ଟଲ ପଡିବ, ବାହାର ରାଜ୍ୟରୁ ସାଂସ୍କୃତିକ ଟ୍ରୁଫ ଆସିବେ ସେ ଦିଗରେ ଆଲୋଚନା ହୋଇଥିଲା ।
ବିଭିନ୍ନ ସରକାରୀ ବିଭାଗର ସମନ୍ୱୟ, ଉତ୍ତମ ପରିଚାଳନା, ଆଗନ୍ତୁକଙ୍କ ପାଇଁ ଆବଶ୍ୟକ ସୁବିଧା, ସୁରକ୍ଷା ଓ ଶୃଙ୍ଖଳା ସହିତ ଓଡ଼ିଆ କଳା, ସଂସ୍କୃତି, ଖାଦ୍ୟ, ହସ୍ତଶିଳ୍ପ ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଏକ ମନୋଜ୍ଞ ଆୟୋଜନ କରିବା ନିମନ୍ତେ ବୈଠକରେ ବିଭିନ୍ନ ପ୍ରସ୍ତାବ ଓ ମତାମତ ଉପରେ ଆଲୋଚନା ହୋଇଥିଲା ।