
DGP selection : କିଏ ହେବେ ଓଡ଼ିଶାର ପରବର୍ତ୍ତୀ DGP ? ଆଜି ହେବ ସୁପ୍ରିମକୋର୍ଟରେ ବଡ଼ ଶୁଣାଣି
DGP ଚୟନର ବାଟ ଫିଟିବ କି ଆଜି ? କିଏ ହେବେ ଓଡ଼ିଶାର ପରବର୍ତ୍ତୀ DGP ? ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ବା DGP କିଏ ହେବେ ? ଏହି ପ୍ରଶ୍ନର ଉତ୍ତର ଦିଗରେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର PILର ଆଜି ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । DGP ଚୟନ ପାଇଁ ଯୋଗ୍ୟ IPS ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ । ଏହାସହ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ବିଶେଷ ନଜର ରହିବ । କୋର୍ଟ UPSCକୁ DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ ସବୁଜ ସଙ୍କେତ ଦେବେ କି ? ନା ବର୍ତ୍ତମାନ ଲାଗିଥିବା ରୋକ ଆହୁରି ଜାରି ରହିବ ? ଅଥବା ରାଜ୍ୟ ସରକାରଙ୍କୁ ଯୋଗ୍ୟ ଅଧିକାରୀଙ୍କ ତାଲିକା ସମ୍ପର୍କରେ କୌଣସି ନୂଆ ନିର୍ଦ୍ଦେଶ ମିଳିବ ? ଓଡ଼ିଶା ସରକାର ପ୍ରଥମେ DGP ପଦ ପାଇଁ DG ରାଙ୍କର ୩ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାଁ UPSCକୁ ପଠାଇଥିବା ନେଇ କୋର୍ଟରେ ତଥ୍ୟ ରଖାଯାଇଛି ।
ଏହି ତାଲିକାରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସୁଶାନ୍ତ କୁମାର ନାଥଙ୍କ ନାଁ ଥିବା ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ପରେ ଏହି ତାଲିକାକୁ ବଢ଼ାଇ ୧୧ ଜଣ ଅଧିକାରୀଙ୍କ ନାଁ ପଠାଯାଇଥିଲା । ଏଥିରେ ୮ ଜଣ ADG ରାଙ୍କର ଅଧିକାରୀଙ୍କୁ ସାମିଲ କରାଯିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଆବେଦନକାରୀଙ୍କ ଅଭିଯୋଗ ହେଉଛି, ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ DGP ଚୟନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ତାଲିକାକୁ ବଢ଼ାଯାଇଥିଲା । ଏହା ୨୦୦୬ର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ନୀତିର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷ ଯୁକ୍ତି ରଖିଛି ।
ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବରିଷ୍ଠ IPS ଅଧିକାରୀଙ୍କ ପଦୋନ୍ନତି ଏକ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା । ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଅଧିକାରୀଙ୍କୁ ନେଇ UPSCକୁ ସାନି ପ୍ରସ୍ତାବ ପଠାଇବାର ଅଧିକାର ରାଜ୍ୟର ରହିଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ DGP ପାଇଁ UPSC ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ କରିବା ପୂର୍ବରୁ ମାମଲାର ଶୁଣାଣି ହେବା ଜରୁରୀ ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ରଖିଥିଲେ । ଏହାପରେ ସୁପ୍ରିମକୋର୍ଟ UPSCକୁ ଓଡ଼ିଶା DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କହିଥିଲେ । ପରବର୍ତ୍ତୀ ଶୁଣାଣିରେ ମଧ୍ୟ ଏହି ଅନ୍ତରୀଣ ବ୍ୟବସ୍ଥା ଜାରି ରହିଥିଲା । ଫଳରେ ରାଜ୍ୟର ସ୍ଥାୟୀ DGP ଚୟନ ପ୍ରକ୍ରିୟା ଅଟକି ରହିଛି । ସମଗ୍ର ବିବାଦର କେନ୍ଦ୍ରରେ ରହିଛି ୨୦୦୬ର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ। DGP ଚୟନରେ ବରିଷ୍ଠତା ସହ ସର୍ଭିସ୍ ରେକର୍ଡ, ଅଭିଜ୍ଞତା ଓ ପୋଲିସ ବାହିନୀର ନେତୃତ୍ୱ ନେବାର ଯୋଗ୍ୟତା ଆଦିକୁ ବିଚାରକୁ ନିଆଯାଏ ।
UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ଏକ ପ୍ୟାନେଲ୍ ପ୍ରସ୍ତୁତ କରିଥାଏ ଏବଂ ସେହି ପ୍ୟାନେଲ୍ ରୁ ରାଜ୍ୟ ସରକାର DGP ନିଯୁକ୍ତ କରନ୍ତି । ତେଣୁ ଓଡ଼ିଶା ସରକାର ପଠାଇଥିବା ଅଧିକାରୀଙ୍କ ତାଲିକା ଏହି ନୀତି ଓ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସହ ସଙ୍ଗତିପୂର୍ଣ୍ଣ କି ନୁହେଁ, ତାହା ମାମଲାର ମୁଖ୍ୟ ପ୍ରସଙ୍ଗ । ଆଜିର ଏହି ଶୁଣାଣିରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ସେପ୍ଟେମ୍ବର ୨ରେ ମାମଲା ଶୁଣାଣି ବେଳେ ଆମିକସ କ୍ୟୁରିଙ୍କ ରିପୋର୍ଟ ପାଇଁ ସମୟ ଦିଆଯାଇଥିଲା ଏବଂ ମାମଲାକୁ ସେପ୍ଟେମ୍ବର ୭କୁ ରଖାଯାଇଥିଲା । ତେବେ ଆଜିର ଶୁଣାଣି ପରେ DGP ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ସେନେଇ ଏକ ସ୍ପଷ୍ଟ ଚିତ୍ର ମିଳିପାରେ । କୋର୍ଟ ଆମିକସ କ୍ୟୁରିଙ୍କ ରିପୋର୍ଟ ସହ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ଯୁକ୍ତିକୁ ବିଚାରକୁ ନେଇପାରନ୍ତି । UPSC ଉପରେ ଥିବା ରୋକ ହଟିଲେ, DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ପ୍ରସ୍ତୁତିର ରାସ୍ତା ଖୋଲିପାରେ। ରୋକ ଜାରି ରହିଲେ, ସ୍ଥାୟୀ DGP ଚୟନ ପ୍ରକ୍ରିୟା ଆହୁରି ବିଳମ୍ବିତ ହୋଇପାରେ । ସେହିପରି ଯୋଗ୍ୟ IPS ଅଧିକାରୀଙ୍କ ତାଲିକାକୁ ନେଇ କୋର୍ଟ ରାଜ୍ୟ ସରକାର କିମ୍ବା UPSCକୁ କୌଣସି ନୂଆ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ।