
Student trapped: ପାହାଡ଼ ଉପରେ ଫସିଗଲେ ଛାତ୍ର, ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ପାହାଡ଼ ଉପରେ ଫସିଗଲେ ଛାତ୍ର, ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କମର୍ସର ଦ୍ବିତୀୟ ବର୍ଷର ଛାତ୍ର ଆଦିତ୍ୟ ବୁଲିବାକୁ ଯାଇ ରୁଖି ପାହାଡ ଜଙ୍ଗଲ ମଧ୍ୟରେ ଫସି ରହିଥିଲା । ସନ୍ଧ୍ୟା ହୋଇଯିବାରୁ ପାହାଡ଼ରୁ ଆଉ ଫେରି ପାରିନଥିଲେ। ଆଦିତ୍ୟ ତାଙ୍କ ଭାଇଙ୍କୁ ଏ ସମ୍ପର୍କରେ ଫୋନରେ ଜଣାଇଥିଲେ । ପରେ ଆଦିତ୍ୟଙ୍କ ବାପା ନୟାଗଡ଼ ଟାଉନ ଥାନାରେ ଜଣାଇବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
ରାତିରେ ଜଙ୍ଗଲ ଏବଂ ବିଭିନ୍ନ ହିଂସ୍ର ଜନ୍ତୁ ରହିଥିବା ପାହାଡ ଚଢି ଛାତ୍ରଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଅନେକ ଚାଲେଞ୍ଜ୍ ଆଣିଥିଲା । ପାହାଡ ଚଢିବା ସମୟରେ ବଡବଡ ସାପ ମଧ୍ଯ ଦେଖିଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ପାହାଡ ଉପରେ ରହିଥିବା ଆଦିତ୍ଯଙ୍କ ମୋବାଇଲ୍ ଲାଇଟ୍ ଏବଂ ଲୋକେସନକୁ ଦେଖି ଉଦ୍ଧାରକାରୀ ଦଳ ପ୍ରାୟ ୧୧ଟା ସମୟରେ ତାଙ୍କ ପାଖରେ ପହଞ୍ଚିଥିଲେ ।
ଆଦିତ୍ଯଙ୍କୁ ଧରି ୧୨ଟା ସମୟରେ ସମସ୍ତେ ତଳେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ସାହାସ ଏବଂ ଉଦ୍ଯମ ପାଇଁ ଛାତ୍ର ଜଣକ ଉଦ୍ଧାର ହୋଇପାରିଥିବାରୁ ସମସ୍ତେ ସେମାନଙ୍କୁ ଧନ୍ଯବାଦ ଦେଇଛନ୍ତି । ଛାତ୍ରଜଣକ ପୂର୍ବରୁ ଦୁଇଥର ସାଙ୍ଗମାନଙ୍କ ସହ ପାହାଡ ଚଢିଥିଲେ ହେଲେ ରବିବାର ଥିବାରୁ ଏକୁଟିଆ ପଳାଇଥିବା କହିଛନ୍ତି ।