
Youth Brutally beaten : ସାଙ୍ଗ ସାଜିଲେ ବଇରୀ, ଯୁବକଙ୍କୁ ଅପହରଣ କରି ଗଛରେ ବାନ୍ଧି ନିର୍ଦ୍ଧୁମ ମାରିଲେ
ସାଙ୍ଗ ସାଜିଲେ ବଇରୀ । ଅପହରଣ କରି ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ଼ । ମାଡ଼ ମାରିବା ପରେ ରାସ୍ତା କଡ଼ରେ ଛାଡ଼ିଦେଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭରସା ଗାଁରେ ଘଟିଛି ଏଭଳି ଘଟଣା । ପୂର୍ବ ଶତ୍ରୁତାରୁ ସାଙ୍ଗମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବକ ଜଣକ ଭରସା ଗାଁର କାହ୍ନୁ ମହାରଣା । କାହ୍ନୁଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ତାଙ୍କୁ ଅପହରଣ କରି ଖଲ୍ଲିକୋଟ ଥାନା ଗୁହାରିଆପାଟ ଅଞ୍ଚଳର ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଗୋଡ଼ ଧରିବା ପାଇଁ ବାଧ୍ୟ କରିଥିଲେ । ଏପରିକି ଥାନାରେ ମାମଲା ନକରିବା ପାଇଁ ମଧ୍ୟ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । କାହ୍ନୁ ଭୁଲ ମାଗିବା ପରେ ତାଙ୍କୁ ନିର୍ମଳଝର ଅଞ୍ଚଳର ଏକ ରାସ୍ତା କଡ଼ରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ।
ଆକ୍ରମଣରେ କାହ୍ନୁଙ୍କ ଗୋଡ଼, ହାତ, ପାଟି ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।ଘଟଣାକୁ ନେଇ ଖଲ୍ଲିକୋଟ ପୋଲିସ ତଦନ୍ତ ଆରମ୍ଭ କରିଛି । ଅପହରଣ ଓ ମାଡ଼ ପଛରେ କେଉଁମାନେ ଅଛନ୍ତି ଏବଂ ଘଟଣାର ପ୍ରକୃତ କାରଣ କଣ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।