ରାଜ୍ୟ

ଅଭାବ ଅନଟନ ଭିତରେ ଗର୍ବ ଆଣିଛି ପରିବା ବିକାଳିଙ୍କ ପୁଅ, ଡାକ୍ତର ହେବେ ସୋମନାଥ ପ୍ରଧାନ

ପରିବା ବିକାଳି ବାପାଙ୍କ ଚାମ୍ପିୟନ୍ ପୁଅ । ଅଭାବ ଅନଟନ ଭିତରେ ଗର୍ବ ଆଣିଛି ପୁଅ । ଡାକ୍ତର ହେବେ ସୋମନାଥ ପ୍ରଧାନ । ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଏବଂ ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପର ସହ କାର୍ଯ୍ୟ କଲେ ନିଜ ଲକ୍ଷ୍ୟରେ ଯେ କେହିବି ପହଞ୍ଚି ପାରିବ । ଏହାକୁ ପୁଣି ପ୍ରମାଣିତ କରି ଦେଖାଇଛନ୍ତି ସୋମନାଥ । ଭୁବନେଶ୍ବର ଏମ୍ସରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପୁରୀ ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟୀ ଗାଁର ସୋମନାଥ ପ୍ରଧାନ ଚଳିତ ବର୍ଷ ନିଟ୍ ୨୦୨୬ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୯୬ ରାଙ୍କ ରଖି ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସୋମନାଥଙ୍କ ବାପା ରବୀନ୍ଦ୍ର ପ୍ରଧାନ ଜଣେ ଗରିବ ଚାଷୀ । ପିରବା ବିକି ୩ ଝିଅ ଓ ଗୋଟିଏ ପୁଅକୁ ନେଇ ଅତି କଷ୍ଚରେ ପରିବାର ପ୍ରତିପୋଷଣ କରନ୍ତି । ଏକ ବଖରିଆ ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜନ୍ତି ୬ ପ୍ରାଣୀ । ଏତେ ଅଭାବ ଅନଟନ ମଧ୍ୟରେ ସୋମାନଥ ମୁଣ୍ଡ ନୁଆଁନଥିଲେ। ନିଜ ଦୃଢ ଇଛା ଶକ୍ତିକୁ ବଜାୟ ରଖିଥିଲେ। ପିଲା ଦିନୁଇଛା ଥିଲା ଭଲ ପାଠ ପଢ଼ିି IAS ହେବା । ଆଉ ପ୍ରଥମ ଚେଷ୍ଟାରେ ସଫଳ ହୋଇଛନ୍ତି ସୋମନାଥ ।

ପୁଅର ଏ ସଫଳତା ଖବର ପାଇ ବାପା ରବୀନ୍ଦ୍ର ପ୍ରଧାନ ଖୁସିରେ ଆତ୍ମହରା । ସେ କୁହନ୍ତି, ‘ସୋମନାଥ ପାଇଁ ମୁଁ ବହୁତ ଖୁସି। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦ ଓ ତାର ନିଷ୍ଠା, କଠିନ ପରିଶ୍ରମ ବଳରେ ସେ ଆଜି ସଫଳତା ପାଇଛି । ମୁଁ ଚାଷ କରି ଓ ପରିବା ବ୍ୟବସାୟ କରି ଅଳ୍ପ କିଛି ରୋଜଗାର କରେ । ସ୍ୱଳ୍ପ ରୋଜଗାର ସତ୍ତ୍ୱେ ପୁଅର ପଢାରେ କେବେ ଅବହେଳା କରିନି । ଅନେକ ସମୟରେ ମହାଜନଙ୍କଠାରୁ ସୁଧରେ ଟଙ୍କା ଆଣି ପୁଅ ପାଠ ପଢ଼ିବାରେ ସହଯୋଗ କରିଛି। ମୋ ପରିବାର, ବନ୍ଧୁମାନେ ମଧ୍ୟ ଅନେକ ସମୟରେ ଆର୍ଥିକ ସାହାଯ୍ୟ କରିଛନ୍ତି । ଆମ ପରିବାରରେ ଆଜି ଯାଏ କେହି ଡାକ୍ତର ହୋଇନାହାନ୍ତି । ହେଲେ ପୁଅ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଆମେ ବହୁତ୍ ଖୁସି ।’

ସୋମନାଥଙ୍କ ସଫଳତା କଥା କହିବାବେଳେ ବଡ ମା’ ଇନ୍ଦୁମତୀଙ୍କ କଣ୍ଠ ଖୁସିରେ ଥରି ଉଠୁଥିଲା । ‘ଆମ ପୁଅ ଡାକ୍ତର ହେବ। ସେଥି ପାଇଁ ଆମ ପରିବାର ଲୋକେ ବହୁତ୍ ଖୁସି ଅଛନ୍ତି । ଆମ ଗ୍ରାମବାସୀ ବହୁତ୍ ଖୁସି ଅଛନ୍ତି । ଆମ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କେହି ଡାକ୍ତର ହୋଇନାହାନ୍ତି । ଏଣୁ ଆମ ପୁଅ ପାଇଁ ଆଜି ବହୁତ୍ ଆମେ ଗର୍ବିତ ।’ ତେବେ ତାଙ୍କର IAS ହେବାକୁ ଇଚ୍ଛା ଥିବାରୁ ଆଗାମୀ ଦିନରେ ଏ ନେଇ ମଧ୍ୟ ପ୍ରସ୍ତୁତି କରିବେ ବୋଲି ସୋମନାଥ କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button