
KING Movie : ଆସୁଛି ଛମ୍ମକ ଛଲ୍ଲୋ ୨.୦ ! ପୁଣିଥରେ ଧମାଲ୍ କରିବେ କରୀନା ଏବଂ ଶାହରୁଖ
ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚା । ଫିଲ୍ମର ସୁଟିଂ ଶେଷ ହୋଇନଥିବା ବେଳେ ଶାହରୁଖଙ୍କ ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି । ଏହି ପୋଷ୍ଟରେ ଶାହରୁଖ ଏକ ଭିନ୍ନ ଏବଂ ରଫ୍ ଲୁକରେ ନଜର ଆସିଛନ୍ତି । ଏହାରି ଭିତରେ ମେକର୍ସ ମୁମ୍ବାଇରେ ଏକ ଡ୍ୟାନ୍ସ ନମ୍ବର ସୁଟିଂ କରିଛନ୍ତି । ଏଥିରେ ଶାହରୁଖ ଏବଂ କରୀନା କପୁର ନଜର ଆସିବେ ।
ଖବର ମୁତାବକ, ଅକ୍ଟୋବର ୨୭ରୁ ମୁମ୍ବାଇରେ ଫିଲ୍ମ କିଙ୍ଗର ଏକ ଡ୍ୟାନ୍ସ ନମ୍ବରର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଶାହରୁଖ ଖାନ୍ ଓ କରୀନା କପୁର ଖାନ୍ ଏକାଠି ନଜର ଆସିବେ । ପ୍ରସିଦ୍ଧ କୋରିଓଗ୍ରାଫର ବୈଭବୀ ମର୍ଚ୍ଚାଣ୍ଟ ଏହି ଗୀତର କୋରିଓଗ୍ରାଫି କରିଥିବା ଜଣାପଡିଛି । ଏହି ଗୀତଟି ଶାହରୁଖ ଓ କରୀନାଙ୍କ ଲୋକପ୍ରିୟ ଗୀତ ‘ଛମ୍ମକ ଛଲ୍ଲୋ’ ଡ୍ୟାନ୍ସକୁ ମନେ ପକାଇବ । ଏଥିରେ ଅନ୍ତର୍ଜାତୀୟ ଡ୍ୟାନ୍ସରମାନେ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି ।
ଗୀତର ସୁଟିଂ ପାଇଁ ଏକ ବଡ଼ ସେଟ୍ ପ୍ରସ୍ତୁତ କରିବାର ଯୋଜନା ରହିଛି । ଶାହରୁଖ ଓ କରୀନାଙ୍କ ଯୋଡ଼ିକୁ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ରହିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ କିଙ୍ଗରେ ଅନେକ ଲୋକପ୍ରିୟ କଳାକାର ନଜର ଆସିବେ । ଏହି ଫିଲ୍ମରେ ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
ଏହା ବ୍ୟତୀତ ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଦୀପିକା ପାଦୁକୋନ୍, କରୀନା କପୁର ଖାନ୍, ଅନିଲ କପୁର, ଜ୍ୟାକି ଶ୍ରଫ୍, ଜୟଦୀପ ଅହଲାୱତ, ଅର୍ଶଦ ୱାର୍ସି, ରାଘବ ଜୁୟାଲ ଓ ଅଭୟ ବର୍ମାଙ୍କ ଭଳି କଳାକାର ଏହି ଫିଲ୍ମରେ ଅଭିନୟ କରୁଛନ୍ତି ।