
Rainy Season Diet: ବର୍ଷାଦିନେ ଖାଆନ୍ତୁନି ଏହି ସବୁ ପନିପରିବା, ନଚେତ୍ ଭୋଗିବେ ନାନା ସମସ୍ୟା
ଉଦୁଉଦିଆ ଖରା ଗରମରୁ ବର୍ଷା ମୁକ୍ତି ଦେଇଥାଏ ଏବଂ ସମସ୍ତଙ୍କ ମନ ଆନନ୍ଦ ହୋଇଯାଏ । ଏହି ସବୁଜିମା ପାଗ ଗରମରୁ ମୁକ୍ତି ଦେଇଛି ସତ କିନ୍ତୁ ନିଜ ସହ ଅନେକ ରୋଗ ଓ ସଂକ୍ରମଣ ମଧ୍ୟ ସାଙ୍ଗରେ ନେଇକି ଆସିଥାଏ । ବର୍ଷା ଦିନେ ପାଣିପାଗରେ ଆଦ୍ରତା ବଢ଼ିଯିବା ଯୋଗୁଁ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ବହୁତ ଶୀଘ୍ର ବଂଶବୃଦ୍ଧି କରେ । ଏଭଳି ପରିସ୍ଥିତିରେ ଆମର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ । ତେଣୁ କିଛି ପନିପରିବା ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ବର୍ଷା ଦିନେ କେଉଁ ପରିବା ଖାଇବା ଉଚିତ୍ ନୁହେଁ ସେ ସମ୍ପର୍କରେ ଜାଣିବା ।
ସବୁଜ ପତ୍ରଯୁକ୍ତ ପନିପରିବା : ବର୍ଷା ଋତୁରେ ପାଳଙ୍ଗ ଏବଂ ବନ୍ଧାକୋବି ଭଳି ପତ୍ରଯୁକ୍ତ ପନିପରିବା ସତର୍କତାର ସହିତ ଖାଇବା ଉଚିତ। ଏହି ଋତୁରେ ଆର୍ଦ୍ରତା ହେତୁ, ଏହି ପନିପରିବାରେ ବ୍ୟାକ୍ଟେରିଆ ଏବଂ ଜୀବାଣୁ ସହଜରେ ବୃଦ୍ଧି ପାଆନ୍ତି । ଯାହା ଆମ ଖାଲି ଆଖିକୁ ଦିଶିନଥାନ୍ତି । ତେଣୁ ଏହି ସମୟରେ ପନିପରିବା ଖାଇବା ଦ୍ୱାରା ପେଟ ସଂକ୍ରମଣ ଏବଂ ପାଚନ ସମସ୍ୟା ହୋଇପାରେ । ଫୁଲକୋବି ଏବଂ ବ୍ରୋକୋଲି ପରି ପନିପରିବା ବହୁତ ପୁଷ୍ଟିକର, କିନ୍ତୁ ବର୍ଷା ଋତୁରେ ଏଗୁଡ଼ିକଠାରୁ ଦୁରେଇ ରହିବା ଆବଶ୍ୟକ ।
ମୂଳ ପନିପରିବା: ବର୍ଷା ଋତୁରେ ଗାଜର, ମୂଳା ଭଳି ପନିପରିବାଠାରୁ ଦୂରେଇ ରହିବା ଅତ୍ୟନ୍ତ ଭଲ । ଏହି ଋତୁରେ ମାଟିର ଆର୍ଦ୍ରତା ଅଧିକ ଥିବାରୁ, ଏହି ପନିପରିବାଗୁଡ଼ିକ ଅତିରିକ୍ତ ପାଣି ଶୋଷଣ କରନ୍ତି, ପାଣି ଭଳି ହୋଇ ଶୀଘ୍ର ନଷ୍ଟ ହୋଇଯାଏ । ଏଗୁଡ଼ିକୁ ଅଳ୍ପ ପରିମାଣରେ ଖାଇବା ଉଚିତ ଏବଂ ଭଲ ଭାବରେ ଧୋଇବା ପରେ ସଠିକ୍ ଭାବରେ ସଂରକ୍ଷଣ କରିବା ଉଚିତ ।
ଛତୁ: ଛତୁ ପ୍ରାୟ ଅଧିକାଂଶ ଲୋକଙ୍କର ଖୁବ୍ ପ୍ରିୟ ହୋଇଥାଏ । ଛତୁ ସାଧାରଣତଃ ଓଦା ଜାଗାରେ ଫୁଟିଥାଏ । ବର୍ଷା ଦିନେ ଏଥିରେ ସଂକ୍ରମଣର ଆଶଙ୍କା ଦୁଇ ଗୁଣ ଅଧିକ ବଢ଼ିଯାଏ । ଟିକିଏ ବି ସଂକ୍ରମିତ ଛତୁ ଖାଇଲେ ଭୟଙ୍କର ‘ଫୁଡ୍ ପଏଜନିଂ’ ହେବାର ଆଶଙ୍କା ଥାଏ । ତେଣୁ ଏହି ସମୟରେ ଛତୁ ନଖାଇବା ଭଲ । ଏଥିସହିତ ପାଚନ ସମସ୍ୟା ଥିବା ବ୍ୟକ୍ତିମାନେ ବିଶେଷ ସତର୍କ ରହିବା ଉଚିତ, କାରଣ ଛତୁ ହଜମ କରିବା କଷ୍ଟକର ହୋଇପାରେ ଏବଂ ଏହାର ଲକ୍ଷଣକୁ ଆହୁରି ଖରାପ କରିପାରେ ।
ଧନିଆ ଓ ପୋଦିନା: ଧନିଆ ଓ ପୋଦିନାପତ୍ର ମାଟିର ଖୁବ୍ ନିକଟରେ ଥାଏ । ବର୍ଷା ସମୟରେ ମାଟିର ପଚାସଢ଼ା ବ୍ୟାକ୍ଟେରିଆ ଏହି ଗଛକୁ ସଂକ୍ରମିତ କରେ, ଯାହା ଶରୀର ପାଇଁ କ୍ଷତିକାରକ ।
ଯଦି କେଉଁସବୁ ପନିପରିବା ଆପଣ ବଷାଦିନେ ଖାଇବା ଭଲ କୁହାଯାଏ ତେବେ କମ୍ ଜଳୀୟ ଅଂଶ ଥିବା ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ । ଯେପରିକି ଏହି ଋତୁରେ ଆପଣ ଲାଉ, ପୋଟଳ, କଖାରୁ, ସିମ ଏବଂ ମକା ଆଦି ଆରାମରେ ଖାଇପାରିବେ । ଏଗୁଡ଼ିକ ସହଜରେ ହଜମ ହେବା ସହ ଶରୀରକୁ ସୁସ୍ଥ ରଖନ୍ତି । ଶରୀରରେ ପ୍ରୋଟିନ୍ର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ଡାଲି, ରାଜମା ଏବଂ ବୁଟ ଜାତୀୟ ଖାଦ୍ୟ ଖାଆନ୍ତୁ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିକୁ ମଧ୍ୟ ମଜବୁତ କରିବାରେ ସାହାଯ୍ୟ କରେ । ସତର୍କତା ହିଁ ସୁରକ୍ଷା । ତେଣୁ ବର୍ଷାର ମଜା ନିଅନ୍ତୁ କିନ୍ତୁ ନିଜର ଏବଂ ନିଜ ପରିବାରର ଖାଦ୍ୟପେୟର ଖାସ୍ ଧ୍ୟାନ ରଖନ୍ତୁ ।