ଦେଶ ବିଦେଶ

Nepal Flood : ମୃତ୍ୟୁକୁ ହରାଇଥିବା ବିସ୍ମୟ ଶିଶୁ ମନୀଷା, ୬୦ ଘଣ୍ଟା ପରେ ମଧ୍ୟ କାଦୁଅ ତଳୁ ଜୀବନ୍ତ ଉଦ୍ଧାର

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରିବ ବଳବନ୍ତ । ଏମିତି ଏକ ଦୃଶ୍ୟ ନେପାଳ ରସୁୱାରେ ଦେଖିବାକୁ ମିଳିଛି । ନେପାଳର ରସୁୱାରେ ଆସିଥିବା ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୬ ବର୍ଷୀୟ ମନୀଷା ପ୍ରାୟ ୬୦ ଘଣ୍ଟା ପରେ ଜୀବିତ ଉଦ୍ଧାର କରାଯାଇଛି । ୬ ବର୍ଷର ପିଲା ୬୦ ଘଣ୍ଟାରୁ ଅଧିକ ସମୟ ଧରି ଧ୍ବଂସାବଶେଷ ତଳେ ଦବି ରହିଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିଯାଇଛି ।

ନେପାଳରେ ଆସିଥିବା ଜଳପ୍ରଳୟରେ ଏଯାଏଁ ୯୩୯ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏହାରି ଭିତରେ ମାଟି କାଦୁଅ ତଳୁ ଉଦ୍ଧାରକାରୀ ଟିମ୍ ଜୀବନ ଖୋଜୁତିବା ବେଳେ ଏହା ଭିତରୁ ହାଲୁକା ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ଉଦ୍ଧାରକାରୀ ଟିମ୍ ସେହି ସ୍ଥାନରେ ଅଧିକ ଧ୍ୟାନ ଦେଇ ମାଟି ଓ କାଦୁଅ ହଟାଇବା ଆରମ୍ଭ କରିଥିଲେ । ଶେଷରେ ଲୁହା ଓ ମାଟି ତଳେ ଫସିଥିବା ୬ ବର୍ଷୀୟ ମନୀଷାଙ୍କୁ ଠାବ କରାଯାଇଥିଲା ।

ପିଲାଟି ୬୦ ଘଣ୍ଟା ଧରି ଏହା ତଳେ ରହିଥିବା ବେଳେ ନିଶ୍ବାସ ପ୍ରଶ୍ବାସ ନେଉଥିଲା । ଧ୍ବଂସାବଶେଷ ତଳୁ ହାଲକା ହାଲକା ଶବ୍ଦ ଶୁଣାଯାଉଥିଲା । ତେଣୁ ଟିମ୍ ବହୁତ ସାବଧାନତାର ସହିତ ମାଟି କାଦୁଅକୁ ଖୋଳିଥିଲେ । ଉଦ୍ଧାର ପରେ ମନୀଷାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେପାଳର ରାଜଧାନୀ କାଠମାଣ୍ଡୁକୁ ନିଆଯାଇଥିବା ଜଣାପଡ଼ିଛି ।

ନେପାଳରେ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟ ପରେ ଅନେକ ପରିବାର ନିଜ ପ୍ରିୟଜନଙ୍କୁ ଖୋଜୁଥିବା ବେଳେ ମନୀଷାଙ୍କୁ ୬୦ ଘଣ୍ଟା ପରେ ଜୀବିତ ଉଦ୍ଧାର କରାଯିବା ଉଦ୍ଧାରକାରୀ ଦଳ ଓ ପରିବାର ପାଇଁ ଆଶ୍ବାସନା ପାଲଟିଛି ।

ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମାର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବରଫ, ପଥର ଓ ଭଗ୍ନାବଶେଷର ବିଶାଳ ଅଂଶ ତଳକୁ ଖସିବା ପରେ ଭୟଙ୍କର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ପାଣି ସହ ବିପୁଳ ପରିମାଣର କାଦୁଅ, ପଥର ଓ ଭଗ୍ନାବଶେଷ ତଳମୁହାଁ ହୋଇ ମାଡ଼ି ଆସିଥିଲା । ଏହାର ପ୍ରଭାବରେ ତ୍ରିଶୂଳୀ ନଦୀ କରିଡରର ବିସ୍ତୀର୍ଣ୍ଣ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଖର ସ୍ରୋତରେ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେବା ସହ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତି ସହିଛି। ଅନେକ ସ୍ଥାନରେ ମାଟି ଓ ପଥରର ବିଶାଳ ସ୍ତର ଜମିଯାଇଛି ।

Leave a Reply

Your email address will not be published. Required fields are marked *

Back to top button