
Indigo Flight : ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଇଞ୍ଜିନରେ ତ୍ରୁଟି ଆଶଙ୍କା
ଗୋଆରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନ ସକାଳେ ଜରୁରୀ ଅବତରଣ କରିଛି । ଇଣ୍ଡିଗୋର ଫ୍ଲାଇଟ୍ 6E 2102 ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା । ଏହାପରେ ପାଇଲଟ୍ ବିମାନକୁ ପୁଣି ଗୋଆ ଅଭିମୁଖେ ଫେରାଇ ଆଣିଥିଲେ ।
ଘଟଣା ପରେ ବିମାନଟିକୁ ଗୋଆର ମନୋହର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ପାଇଲଟମାନେ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ଅନୁସରଣ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ ।
ଇଣ୍ଡିଗୋର ପ୍ରବକ୍ତା କହିଛନ୍ତି ଯେ, ଉଡ଼ାଣ ଭରିବାର କିଛି ସମୟ ପରେ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଯାତ୍ରୀ ଏବଂ ବିମାନର ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟମାନେ ବିମାନକୁ ଗୋଆକୁ ଫେରାଇ ଆଣିଥିଲେ । ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ । ଗ୍ରାହକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସୂଚନା ଦିଆଯାଇଛି । ଆମ ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ସବୁଠୁ ଅଧିକ ପ୍ରାଥମିକତା ।
ବର୍ତ୍ତମାନ ବିମାନର ଯାଞ୍ଚ ଚାଲିଛି । ସମସ୍ତ ଆବଶ୍ୟକ ଯାଞ୍ଚ ଓ ଅନୁମତି ମିଳିବା ପରେ ହିଁ ବିମାନଟିକୁ ପୁଣି ସେବାରେ ନିୟୋଜିତ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।