
Cuttack’s road: କଟକର ବେହାଲ ରାସ୍ତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ, ୨ ବର୍ଷର ନିର୍ଦ୍ଦେଶ ପରେ ବି ବଦଳିନି ଚିତ୍ର
‘ରାସ୍ତା କେବଳ ପିଚୁ ଓ ପଥର ନୁହେଁ, ଏହା ଜୀବନରେଖା’ । କଟକର ବେହାଲ ରାସ୍ତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ । ୨ ବର୍ଷର ନିର୍ଦ୍ଦେଶ ପରେ ବି ବଦଳିନି ଚିତ୍ର । କଟକ ସହରର ବେହାଲ ରାସ୍ତାକୁ ନେଇ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ । ବାରମ୍ବାର ନିର୍ଦ୍ଦେଶ, ଅଧିକାରୀଙ୍କ ପ୍ରତିଶ୍ରୁତି ଓ କୋର୍ଟରେ ଗୋଟିଏ ପରେ ଗୋଟିଏ କମ୍ପ୍ଲାଏନ୍ସ ଆଫିଡେଭିଟ୍ ଦାଖଲ ସତ୍ତ୍ୱେ ରାସ୍ତାର ବାସ୍ତବ ସ୍ଥିତିରେ ଆଶାନୁରୂପ ପରିବର୍ତ୍ତନ ଆସିନଥିବାରୁ କୋର୍ଟ କଡ଼ା ମନ୍ତବ୍ୟ କରିଛନ୍ତି । ଜଷ୍ଟିସ୍ କେ.ଆର୍. ମହାପାତ୍ର ଏବଂ ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି, ରାସ୍ତା କେବଳ ପିଚୁ ଓ ପଥର ନୁହେଁ । ସମ୍ବିଧାନର ଅନୁଚ୍ଛେଦ ୧୯(୧)(d) ସହ ଅନୁଚ୍ଛେଦ ୨୧ ଅନୁସାରେ ଏହା ଏକ ‘ଜୀବନରେଖା’ । ଲୋକଙ୍କ ଯାତାୟାତ ଓ ଜୀବନ ସହ ରାସ୍ତା ସିଧାସଳଖ ଭାବେ ଜଡ଼ିତ ବୋଲି କୋର୍ଟ ଗୁରୁତ୍ୱ ଦେଇଛନ୍ତି ।
କଟକ ରାସ୍ତାର ସ୍ଥିତିକୁ ନେଇ ଖଣ୍ଡପୀଠ ଅତ୍ୟନ୍ତ କଡ଼ା ଭାଷାରେ ପ୍ରଶାସନିକ ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି । କୋର୍ଟଙ୍କ ମତରେ, କାଗଜପତ୍ରରେ ଦାଖଲ ହେଉଥିବା ଅନୁପାଳନ ସତ୍ୟପାଠ ବାସ୍ତବରେ ଯାତାୟାତଯୋଗ୍ୟ ରାସ୍ତାରେ ପରିଣତ ହୋଇପାରିନାହିଁ । ସହରରେ ଖାଲ ସୃଷ୍ଟି ହେଉଛି, ମରାମତି ହେଉଛି, ବର୍ଷା ଆସୁଛି ଏବଂ ପୁଣି ଖାଲ ସୃଷ୍ଟି ହେଉଛି—ଏହି ଯନ୍ତ୍ରଣାଦାୟକ ଚକ୍ର ଜାରି ରହିଥିବା କୋର୍ଟ କହିଛନ୍ତି । ପ୍ରାୟ ଦୁଇ ବର୍ଷ ଧରି କଟକ ମହାନଗର ନିଗମ (CMC), ପୂର୍ତ୍ତ ବିଭାଗର R&B ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କୋର୍ଟ ବାରମ୍ବାର ପଦକ୍ଷେପ ନେବାକୁ କହିଆସୁଛନ୍ତି । ୨୦୨୪ ସେପ୍ଟେମ୍ବର ୧୨ରେ ହାଇକୋର୍ଟ କଟକର ୧୫ଟି ୱାର୍ଡର କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ମରାମତି କରି ପ୍ରଗତି ରିପୋର୍ଟ ଦେବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ । ପରେ ଅକ୍ଟୋବର ୩ରେ ଆଡଭୋକେଟ୍ସ କମିଟି ଜଳବନ୍ଦୀ ସମସ୍ୟା ଉଠାଇଥିଲା । ରାସ୍ତାରେ ପାଣି ଜମିବା ଯୋଗୁଁ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଲୋକଙ୍କ ସମସ୍ୟା ବଢ଼ୁଥିବା ଦର୍ଶାଯାଇଥିଲା । ଏହାପରେ CMC କମିଶନରଙ୍କୁ ଜଳବନ୍ଦୀ ସମସ୍ୟାର ସମାଧାନ ସହ ଆବଶ୍ୟକ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
କିନ୍ତୁ ପରବର୍ତ୍ତୀ ଶୁଣାଣିରେ ରାସ୍ତାର ଦାୟିତ୍ୱକୁ ନେଇ CMC ଓ R&B ମଧ୍ୟରେ ସ୍ପଷ୍ଟତାର ଅଭାବ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦୁଇ ସଂସ୍ଥା ମଧ୍ୟରେ ସ୍ପଷ୍ଟ ସମନ୍ୱୟ ଅଭାବ ରହିଥିବା କୋର୍ଟ କହିଥିଲେ । CMC ପକ୍ଷରୁ ରାସ୍ତା କାମ ଦୁର୍ଗାପୂଜା ସୁଦ୍ଧା ଶେଷ ହେବ ବୋଲି ପ୍ରଥମେ ପ୍ରତିଶ୍ରୁତି ଦିଆଯାଇଥିଲା । ତାହା ପୂରଣ ନହେବା ପରେ ୨୦୨୪ ନଭେମ୍ବର ଶେଷ ସୁଦ୍ଧା କାମ ସାରିବାକୁ ପୁଣି ଆଶ୍ୱାସନ ଦିଆଯାଇଥିଲା । ଡିସେମ୍ବର ୨୦୨୪ରେ CMCର ସିଟି ଇଞ୍ଜିନିୟର ଦାଖଲ କରିଥିବା ରିପୋର୍ଟ ଅନୁସାରେ ଚିହ୍ନଟ ହୋଇଥିବା ୧୦୫ଟି ରାସ୍ତା ଓ ଡ୍ରେନ୍ କାମ ମଧ୍ୟରୁ ୬୪ଟି ସମ୍ପୂର୍ଣ୍ଣ ହୋଇଥିଲା । ୬ଟି ରାସ୍ତା R&B ଅଧୀନରେ ଥିବା କୁହାଯାଇଥିଲା । ୨୦୨୫ ଅଗଷ୍ଟରେ ମଧ୍ୟ କଟକର ଖରାପ ରାସ୍ତା ନେଇ ଖବର ଗଣମାଧ୍ୟମରେ ବାରମ୍ବାର ଆସୁଥିବା କୋର୍ଟଙ୍କ ନଜରକୁ ଆସିଥିଲା । ମରାମତି ପରେ ଖୁବ୍ କମ୍ ସମୟ ମଧ୍ୟରେ ରାସ୍ତା ପୁଣି ଖରାପ ହେବା ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖର ଅଭାବ ଆଡ଼କୁ ଇଙ୍ଗିତ କରୁଥିବା ଖଣ୍ଡପୀଠ କହିଥିଲେ । ନିମ୍ନମାନର କାମ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା ପଦକ୍ଷେପ ସହ ମରାମତି ଖର୍ଚ୍ଚ ସେମାନଙ୍କଠାରୁ ଆଦାୟ କରିବାର ବ୍ୟବସ୍ଥା ଚୁକ୍ତିରେ ରହିବା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଥିଲେ ।
ପରବର୍ତ୍ତୀ ସମୟରେ କୋର୍ଟ ୱାର୍ଡୱାରୀ ରାସ୍ତାର ଲମ୍ବ, କେତେ ରାସ୍ତା ମରାମତି ଆବଶ୍ୟକ, କେତେ ଅର୍ଥ ମଞ୍ଜୁର ହୋଇଛି ଏବଂ ୨୦୨୪ରେ ମରାମତି ହୋଇଥିବା ରାସ୍ତାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ । ରାସ୍ତା ତାଲିକା ଆଫିଡେଭିଟ୍ ରେ ସଂଲଗ୍ନ ନହେବାକୁ ନେଇ ମଧ୍ୟ କୋର୍ଟ କଡ଼ା ମନ୍ତବ୍ୟ କରିଥିଲେ । ଏବେ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଦିଆଯାଇଥିବା ଆଶ୍ୱାସନା କାଗଜପତ୍ର ଓ ଆଫିଡେଭିଟ୍ ରେ ସୀମିତ ନରହି ‘ମିଲେନିୟମ୍ ସିଟି’ କଟକର ରାସ୍ତାରେ ଦୃଶ୍ୟମାନ ପରିବର୍ତ୍ତନ ଆସିବ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦, ୨୦୨୬କୁ ଧାର୍ଯ୍ୟ ହୋଇଛି ।