ମନୋରଞ୍ଜନ

ଜେଲ୍ ହାରିଲା ବନ୍ଧନ ଜିତିଲା, ରାଖୀରେ ଭାବବିହ୍ୱଳ ହେଲା କୋରାପୁଟ ମଣ୍ଡଳ କାରାଗାର

କୋରାପୁଟ: ରାଖୀ ପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବର ମାହୋଲ । ଗାଁ ଠୁ ସହର ଚଳଚଞ୍ଚଳ । ଏନେଇ ଭାଇ ଭଉଣୀମାନଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା । ଭାଇ ଭଉଣୀ ପ୍ରେମ ହେଉଛି ଯୁଗେ ଯୁଗେ ପବିତ୍ର ଓ ଅତୁଟ । ତେବେ ରାକ୍ଷୀ ବାନ୍ଧିବା ପାଇଁ ଭାଇ ଭଉଣୀ ଯେଉଁଠି ଥାନ୍ତୁ ନା କାହିଁକି ଏକାଠି ହୋଇଯାଇନ୍ତି ଏହି ପବିତ୍ର ଅବସରରେ । ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ଜେଲ୍ ଗେଟ୍, ଭଉଣୀମାନେ ରାଖୀ ଧରି ଅପେକ୍ଷା କରିଛନ୍ତି । ଏ ଦୃଶ୍ୟ ହୁଏତ ଆଖିରେ ଲୁହ ଆଣିଦେବ । ଗୋଟେପଟେ ଲୁହ ଭରା ଆଖିରେ ଭଉଣୀ ଆଉ ସେପଟେ ଜେଲ୍‌ର ଝରକା ପଛରେ ଭା । ଦୁହିଁଙ୍କ ମଝିରେ ରହିଛି ଲୁହାର ଝରକା । ହେଲେ ଅଟକି ଯାଇନି ସ୍ନେହ । ଅଟକି ଯାଇନି ଭାଇ-ଭଉଣୀର ସମ୍ପର୍କ ।

ରକ୍ଷା ବନ୍ଧନରେ ଭାବବିହ୍ୱଳ ହେଲା କୋରାପୁଟ ମଣ୍ଡଳ କାରାଗାର । ଜେଲର ଚାରିକାନ୍ଥ ମଧ୍ୟ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଅଟକାଇ ପାରିଲା ନାହିଁ । ରକ୍ଷା ବନ୍ଧନ ଅବସରରେ କୋରାପୁଟ ମଣ୍ଡଳ କାରାଗାରରେ ଥିବା କଏଦୀ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି । ଜେଲ୍ ଝରକା ଦେଇ ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ ଉଭୟ ଭାଇ-ଭଉଣୀ । ଭଉଣୀର ହାତରୁ ରାକ୍ଷୀ ପିନ୍ଧି ଭାଇ ମଧ୍ୟ ଆଶୀର୍ବାଦ ଦେବା ସହ ତାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏଥିପାଇଁ କୋରାପୁଟ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କଏଦୀମାନେ ଯେପରି ନିଜ ସମ୍ପର୍କୀୟଙ୍କୁ ଭେଟି ରକ୍ଷା ବନ୍ଧନ ପାଳନ କରିପାରିବେ ସେଥିପାଇଁ ସୁଯୋଗ ଦିଆଯାଇଥିଲା । ଏପରିକି ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ ପୁରୁଷ କଏଦୀଙ୍କୁ ରାଖୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରିଥିଲେ । କୌଣସି ଭାଇ ଭଉଣୀ ଯେପରି ରକ୍ଷା ବନ୍ଧନର ଏହି ପବିତ୍ର ଦିନରେ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଜେଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ରହିଥିବା କହିଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ ।

ଏ କେବଳ ରାକ୍ଷୀ ନୁହେଁ, ଏ ହେଉଛି ଭାଇ-ଭଉଣୀର ସେହି ଅତୁଟ ବନ୍ଧନ । ଯାହାକୁ ଜେଲ୍‌ର ଉଚ୍ଚ ପାଚେରୀ ବି ଭାଙ୍ଗି ପାରିଲାନି । ଜୀବନର ଭୁଲ୍ ପାଇଁ ଭାଇ ଆଜି ଜେଲ୍‌ରେ, ହେଲେ ଭଉଣୀର ଆଖିରେ ସେ ଏବେ ବି ସେଇ ପୁରୁଣା ଭାଇ । ଜେଲ୍‌ର ଚାରିକାନ୍ଥ ଭିତରେ ରାକ୍ଷୀର ସୂତା ଭାଇ-ଭଉଣୀର ସମ୍ପର୍କକୁ ଆହୁରି ମଜବୁତ କରିଦେଇଥିଲା ।

Leave a Reply

Your email address will not be published. Required fields are marked *

Back to top button