ଦେଶ ବିଦେଶ

Snake bite: ରକ୍ଷା ବନ୍ଧନ ପୂର୍ବରୁ ସର୍ପାଘାତରେ ଚାଲିଗଲା ଭଉଣୀର ଜୀବନ, ଖାଲି ରହିଗଲା ଦୁଇ ଭାଇଙ୍କ ହାତ

ରାଖୀ ଆସିବ, ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ରାଖୀ, ମିଠା ଓ ସିନ୍ଦୁର ଚନ୍ଦନ ସଜାଇ ରଖିଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ଥିଲା । କାଳ ସାଜି ଆସିଲା କାଳ ସର୍ପ । ରକ୍ଷା ବନ୍ଧନ ପୂର୍ବରୁ ସର୍ପାଘାତରେ ଚାଲିଗଲା ଭଉଣୀର ଜୀବନ । ଖାଲି ରହିଯାଇଛି ଦୁଇ ଭାଇଙ୍କ ହାତ। ବାଲେଶ୍ବର ଜିଲ୍ଲା ବାଲିଆପାଳରୁ ଆସିଛି ହୃଦୟ ବିଦାରକ ଘଟଣା । ମୃତକ ବିଷ୍ନୁପୁର ଗାଁର ଭଗବାନ ପ୍ରମାଣିକଙ୍କ ଝିଅ ନନ୍ଦିତା । ଘରେ ଶୋଇଥିବା ଅବସ୍ଥାରେ ବନ୍ଯା ପାଣିରେ ଭାସି ଆସିଥିବା ଏକ ବିଷଧର ସାପ ନନ୍ଦିତାଙ୍କୁ ଚୋଟ ମାରିଥିଲା । ଆଉ ସବୁଦିନ ପାଇଁ ସେ ଆଖି ବୁଜିଦେଇଥିଲେ । ପ୍ରିୟ ଭଉଣୀକୁ ହରାଇ ଦୁଇ ଭାଇଙ୍କ ଆଖିରୁ ଲୁହ ଶୁଖୁନି । ରାଖୀ ରହିଗଲା, କିନ୍ତୁ ଭଉଣୀ ଚାଲିଗଲା । ଯେଉଁ ସମ୍ପର୍କକୁ ରାଖୀର ସୂତା ଆହୁରି ମଜବୁତ କରିଥାନ୍ତା, ସେହି ସମ୍ପର୍କ ଆଜି ଲୁହରେ ଭିଜିଛି।

ଗୋଟିଏ ପଟେ ଭଉଣୀଙ୍କୁ ହରାଇବାର ଦୁଃଖ । ଅନ୍ୟପଟେ ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ତାଙ୍କ ଅନୁପସ୍ଥିତିର ଯନ୍ତ୍ରଣା । ଘରେ ଯେଉଁଠି ରାଖୀ ପାଇଁ ପ୍ରସ୍ତୁତି ହେବା କଥା, ସେଠାରେ ଆଜି ଶୋକର ପରିବେଶ । ରାଖୀର ସୂତା ଭାଇ ଭଉଣୀଙ୍କ ସମ୍ପର୍କର ପ୍ରତୀକ, କିନ୍ତୁ ଏହି ପରିବାର ପାଇଁ ଚଳିତ ବର୍ଷର ରକ୍ଷା ବନ୍ଧନ ସେହି ସୂତା ସହ ଯୋଡ଼ି ଦେଇଛି ଅସୀମ ଦୁଃଖର ସ୍ମୃତି। ଦୁଇ ଛୋଟ ଭାଇ ଭଉଣୀ ଘରେ ଆଣି ରଖି ଦେଇ ଯାଇଥିବା ରାଖୀକୁ ଧରି ମୋବାଇଲ ଗ୍ଯାଲେରୀରେ ଭଉଣୀ ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି । ଭଉଣୀ ଆଉ ଫେରିବ ନାହିଁ, କିନ୍ତୁ ତାଙ୍କ ସ୍ନେହ ଓ ସ୍ମୃତି ସବୁଦିନ ଦୁଇ ଭାଇଙ୍କ ହୃଦୟରେ ବଞ୍ଚି ରହିବ ।

Leave a Reply

Your email address will not be published. Required fields are marked *

Back to top button