
Pakistani Brides: ସୀମା ଡେଇଁ ଭାରତ ଆସିଲେ ୧୫୦ ପାକିସ୍ତାନୀ କନିଆଁ, ଶେଷରେ ଜିତିଲା ପ୍ରେମ!
ବର୍ଷ ବର୍ଷର ଅପେକ୍ଷା… ଆଉ ଶେଷରେ ଜିତିଲା ପ୍ରେମ। ସୀମା ଡେଇଁ ଭାରତକୁ ଧାଇଁ ଆସିଲେ ପାକିସ୍ତାନ କନିଆଁ। ଜଣେ କି ଦୁଇ ଜଣ ନୁହେଁ ଏକାଥରେ ମାଡି ଆସିଲେ ୧୫୦ ନବବଧୂ। ଆଉ ଶେଷରେ ଦେଢ଼ ବର୍ଷର ଅପେକ୍ଷା ପରେ ଭାରତରେ ବାଜିଲା ଶାହାନାଇ ପଡିଲା ହାତଗଣ୍ଠି। ଅପରେସନ୍ ସିନ୍ଦୂର ପରେ, ଅଟାରୀ-ୱାଘା ସୀମା ହୋଇଗଲା ବନ୍ଦ। ଦୁଇ ଦେଶ ମଧ୍ୟରେ ଠପ୍ ହୋଇଗଲା ଯାତାୟାତ । ବିବାହ ଅପେକ୍ଷାରେ ଥିବା ଅନେକ ପରିବାରଙ୍କ ଚିନ୍ତା ବଢ଼ିଗଲା। କେବେ ହେବ ବିବାହ? କେବେ ମିଳିବେ ଦୁଇ ହୃଦୟ? ଏହି ପ୍ରଶ୍ନ ହିଁ ସମସ୍ତଙ୍କ ମନରେ ଥିଲା। ଦିନ ଗଡ଼ିଲା, ମାସ ବିତିଲା ଆଉ ଅପେକ୍ଷା ବଢ଼ିଲା। କିନ୍ତୁ ଆଶା ମରିନଥିଲା। ଶେଷରେ ଏପ୍ରିଲ ଓ ଜୁନ୍ ମାସରେ ମସ୍କଟ, ଦୁବାଇ, କତାର, କୋଲମ୍ବୋ ଓ ଢାକା ରାସ୍ତା ଦେଇ ପ୍ରାୟ ୧୫୦ କନିଆଁ ପହଞ୍ଚିଲେ ଭାରତରେ। ସାଙ୍ଗରେ ଥିଲେ ପ୍ରାୟ ୪୫୦ ପରିବାର ସଦସ୍ୟ।
ଏହି ୧୫୦ କନିଆଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆରତୀ। ଅପରେସନ ସିନ୍ଦୂର ପୂର୍ବରୁ ଭାରତର ଇଙ୍କେଶଙ୍କ ସହ ହୋଇଥିଲା ନିର୍ବନ୍ଧ। ଆରତୀ ପହଞ୍ଚି ଯାଇଥିଲେ ୱାଘା ବର୍ଡର ନିକଟରେ। କିନ୍ତୁ ଠିକ୍ ସେତିକି ବେଳେ ବନ୍ଦ ହୋଇଗଲା ଗେଟ୍। ଅପେକ୍ଷା ପୁରା ଏକ ବର୍ଷ। ଶେଷରେ ମସ୍କଟ ରାସ୍ତା ଦେଇ ଭାରତ ଆସିଥିଲେ ଆରତୀ। ଆଉ ପୂରଣ ହୋଇଥିଲା ଦୁଇ ହୃଦୟର ସ୍ୱପ୍ନ।
ସଞ୍ଜୟ ଓ କାଜଲଙ୍କ କାହାଣୀ ମଧ୍ୟ କିଛି କମ୍ ନୁହେଁ। ତିନି ବର୍ଷ ତଳେ ହୋଇଥିଲା ନିର୍ବନ୍ଧ। କିନ୍ତୁ ସୀମା ବନ୍ଦ ହେବା ପରେ ଭାଙ୍ଗିଯାଇଥିଲା ସବୁ ଆଶା। ତଥାପି ପ୍ରେମ ହାର ମାନିନଥିଲା। କରାଚିରୁ ମସ୍କଟ ତା’ପରେ ଦିଲ୍ଲୀ, ଆଉ ଶେଷରେ ନାଗପୁର। ଏମିତି ଦୀର୍ଘ ଯାତ୍ରା ପରେ ହୋଇଥିଲା ବିବାହ। ଖାଲି ନାଗପୁର ନୁହେଁ ଜୋଧପୁର, ଅହମଦାବାଦ, ରାୟପୁର, ପୁଣେ, ଭୋପାଳ, ଦେଶର ବିଭିନ୍ନ ସହରରେ ଶୁଭିଥିଲା ବିବାହର ସାହାନାଇ ।
କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତି ଏବଂ ସିନ୍ଧର ଶାଦାନୀ ଦରବାରର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା। ଅଟକି ଥିବା ପରିବାରଙ୍କ ସମସ୍ୟାକୁ ସାମ୍ନାକୁ ସେ ଆଣିଥିଲେ। ଆଉ ମାନବିକ ଆଧାରରେ ମିଳିଥିଲା ବିଶେଷ ଅନୁମତି। ଯାହା ପରେ ସମ୍ଭବ ହୋଇଥିଲା ଏହି ମିଳନ। ସୀମା ବନ୍ଦ ହୋଇପାରେ। ରାସ୍ତା ବଦଳିଯାଇପାରେ। ଯାତ୍ରା ଲମ୍ବା ହୋଇପାରେ। କିନ୍ତୁ ଯଦି ଅପେକ୍ଷା ସତ ହୋଇଥାଏ…ତେବେ ଗନ୍ତବ୍ୟ ନିଶ୍ଚୟ ମିଳେ। ଏହି କାହାଣୀ ୧୫୦ କନିଆଁଙ୍କର। କିନ୍ତୁ ସନ୍ଦେଶ ଗୋଟିଏ. ପ୍ରେମ ପାଇଁ ଦୂରତା ବଡ଼ ନୁହେଁ।