ମନୋରଞ୍ଜନ

Gamabhari Village: ଚିଲିକାର ଛାତି ଉପରେ ଗମ୍ଭାରୀ ଗାଁ, ନାମ ପଛରେ ଏମିତି ଇତିହାସ

ଚାରିପଟେ ଚିଲିକାର ଅକାତକାତ ଜଳରାଶି… ମଝିରେ ଏକ ସୁନ୍ଦର ଗାଁ। ଦୂରରୁ ଦେଖିଲେ ଲାଗେ ଯେମିତି ପାଣିର ଛାତି ଉପରେ ଭାସୁଛି ଏକ ସ୍ୱପ୍ନର ବସତି। ହେଲେ ଏହି ଗାଁ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ନିଜର ନାମ ଏବଂ ଇତିହାସ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। କୃଷ୍ଣପ୍ରସାଦ ବ୍ଲକର ଗମ୍ଭାରୀ ଗାଁ। କିନ୍ତୁ କାହିଁକି ଏହି ନାଁ? ଗାଁ ନାମକରଣ ପଛରେ କଣ ରହିଛି କାହାଣୀ?

ଦୂର ଦୂର ପର୍ଯ୍ୟନ୍ତ କେବଳ ପାଣି ଆଉ ପାଣି। ସେହି ଜଳରାଶି ମଝିରେ ମୁଣ୍ଡ ଟେକିଛି ଗମ୍ଭାରୀ ଗାଁ। ଭୌଗୋଳିକ ଦୃଷ୍ଟିରୁ ଯେତିକି ମନୋରମ, ଇତିହାସ ଦୃଷ୍ଟିରୁ ସେତିକି ରୋଚକ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ କେବେ ମାଳ ମାଳ ଗମ୍ଭାରୀ ଗଛ ଥିଲା। ସେହି ଗଛର ନାମରୁ ହିଁ ଗାଁର ନାମ ହୋଇଥିଲା ‘ଗମ୍ଭାରୀ’। ସମୟ ବଦଳିଛି, ଗଛ କମିଛି, କିନ୍ତୁ ନାମ ଆଜି ବି ସେହି ଇତିହାସକୁ ବଞ୍ଚାଇ ରଖିଛି।

ଆଉ ଏକ କିମ୍ବଦନ୍ତୀ କହେ… ଗଜପତି ରାଜା ମୁକୁନ୍ଦ ଦେବଙ୍କ ସମୟରେ ଏହି ସ୍ଥାନ ‘ଗମ୍ଭାରୀ କୁଦା’ ନାମରେ ପରିଚିତ ଥିଲା। ଗଭୀର ଜଳ, ଉର୍ବର ମାଟି ଓ ସୁରକ୍ଷିତ ଗଡ଼ ପରିଧି ଯୋଗୁଁ ଏହାକୁ ବିଶେଷ ମହତ୍ତ୍ୱ ମିଳିଥିଲା। ଗଭୀର ଜଳ… ଗମ୍ଭାରୀ ଗଛ…ଆଉ ଐତିହ୍ୟର ଗାଥା। ଏହି ସବୁକିଛି ମିଶି ଗଢ଼ିଉଠିଛି ଗମ୍ଭାରୀର ପରିଚୟ। ଚିଲିକାର ଛାତି ଉପରେ ଆଜି ବି ନିଜର ପରମ୍ପରାକୁ ସାଇତି ରଖିଛି ଏହି ଗାଁ। ଗୋଟିଏ ନାଁ… ଅନେକ କାହାଣୀ। ଚିଲିକାର ତରଙ୍ଗ ସହ ଆଜି ବି ବୋହି ଚାଲିଛି ଗମ୍ଭାରୀର ଇତିହାସ। ସମୟ ବଦଳୁଛି, ପିଢ଼ି ବଦଳୁଛି… କିନ୍ତୁ ଗାଁର ନାମ ଓ ତା’ ପଛର କିମ୍ବଦନ୍ତୀ ଆଜି ବି ଲୋକମାନଙ୍କ ସ୍ମୃତିରେ ରହିଛି

Leave a Reply

Your email address will not be published. Required fields are marked *

Back to top button