
Poonam Dhillon : ଡେଙ୍ଗୁରେ ଆକ୍ରାନ୍ତ ଅଭିନେତ୍ରୀ ପୁନମ ଢିଲୋନ୍, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA)ର ଅଧ୍ୟକ୍ଷା ପୁନମ ଢିଲୋନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୁନମ୍ ଢିଲୋନ୍ । ସୋହନୀ ମାହିୱାଲ, ୟେ ୱାଦା ରହା ଏବଂ ନାମ୍ ଭଳି ଫିଲ୍ମରେ ଶାନଦାର ଅଭିନୟ କରି ଦର୍ଶକଙ୍କ ହ୍ଦୟରେ ରାଜ୍ କରିଥିଲେ ପୁନମ ଢିଲୋନ୍ । ଫ୍ୟାନ୍ସ ପୁନମଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଖବର ମୁତାବକ, ପୁନମ ଢିଲୋନ୍ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଏବେ ଧୀରେ ଧୀରେ ସୁଧୁରୁଛି ଏବଂ ସୁସ୍ଥତା ଅନୁଭବ କରୁଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଚାରିତ ହେବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିବା ବେଳେ, ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।
ପୁନମ ଢିଲୋନ୍ଙ୍କ ଅସୁସ୍ଥତାର ଖବର ଏପରି ଏକ ସମୟରେ ଆସିଛି, ଯେତେବେଳେ CINTAAର ନେତୃତ୍ୱକୁ ନେଇ ବିବାଦ ଚର୍ଚ୍ଚାରେ ରହିଛି । ଅଗଷ୍ଟ ମାସରେ ସଂଗଠନର ୧୧ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଇସ୍ତଫା ଦେଇଥିବା ଖବର ଆସିଥିଲା । ସେମାନେ ସଂଗଠନରେ ସ୍ୱଚ୍ଛତା ଏବଂ ସାମୂହିକ ନିଷ୍ପତ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ନୂଆ ନିର୍ବାଚନ ଦାବି କରିଥିଲେ ।