
Egypt Great Pyramid: ଗିଜା ପିରାମିଡ୍ରେ ୧୦୦ ଫୁଟ୍ ଯାତ୍ରା କଲା ରୋବଟ୍, ଖୋଲିବ ୪,୫୦୦ ବର୍ଷର ରହସ୍ୟ!
ଇଜିପ୍ଟର ଗିଜାସ୍ଥିତ ବିଶାଳ ପିରାମିଡ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପିରାମିଡ୍ ଭିତରେ ଏକ ରୋବଟ୍ର ଯାତ୍ରା ସାମ୍ନାକୁ ଆଣିଛି ଏକ ରହସ୍ୟମୟ ବନ୍ଦ ଦ୍ୱାର ।
ହଜାର ହଜାର ବର୍ଷ ପୁରୁଣା ଗିଜାର ଗ୍ରେଟ୍ ପିରାମିଡ୍ । ଏହାକୁ ନେଇ ଅନେକ ଗବେଷଣା ହୋଇଥିଲେ ମଧ୍ୟ ପିରାମିଡ୍ର ଭିତରେ ଲୁଚିଥିବା ସବୁ ରହସ୍ୟ ଏବେ ବି ସାମ୍ନାକୁ ଆସିନାହିଁ । ଏହି ରହସ୍ୟ ଖୋଜିବା ପାଇଁ ଗବେଷକମାନେ ଆଧୁନିକ ରୋବଟ୍ ଓ ସ୍କାନିଂ ଟେକ୍ନୋଲୋଜିର ସାହାଯ୍ୟ ନେଇଥିଲେ । ପିରାମିଡ୍ ଭିତରେ ଥିବା ଏକ ଅତ୍ୟନ୍ତ ସଂକୀର୍ଣ୍ଣ ରାସ୍ତାରେ ରୋବଟ୍ଟିକୁ ପଠାଯାଇଥିଲା। ଏହି ରାସ୍ତା ଏତେ ସଂକୀର୍ଣ୍ଣ ଯେ, ସେଠାକୁ ମଣିଷଙ୍କ ପାଇଁ ଯିବା କଷ୍ଟକର ଏବଂ ବିପଦପୂର୍ଣ୍ଣ । ରୋବଟ୍ଟି ପ୍ରାୟ ୧୦୦ ଫୁଟ୍ ଲମ୍ବା ରାସ୍ତା ଦେଇ ଆଗକୁ ଯାଇଥିଲା। କିନ୍ତୁ ଶେଷରେ ଏହା ଏକ ବନ୍ଦ ଅଂଶ ନିକଟରେ ପହଞ୍ଚିଥିଲା । ସେଠାରେ ଥିଲା ଏକ ମଜବୁତ କାନ୍ଥ କିମ୍ବା ବନ୍ଦ ଦ୍ୱାର । କୁହାଯାଉଛି ଯେ, ଏହି ଅଂଶ ହଜାର ହଜାର ବର୍ଷ ଧରି ବନ୍ଦ ରହିଥାଇପାରେ ।
ଅନ୍ୟପଟେ ଏପର୍ଯ୍ୟନ୍ତ ଦ୍ୱାରଟି ଖୋଲାଯାଇନାହିଁ। ଏହାର ଅନ୍ୟ ପାର୍ଶ୍ୱରେ କ’ଣ ରହିଛି, ସେନେଇ ମଧ୍ୟ କୌଣସି ନିଶ୍ଚିତ ସୂଚନା ସାମ୍ନାକୁ ଆସିନାହିଁ । ଏହି ରହସ୍ୟକୁ ନେଇ ଇଜିପ୍ଟବିଜ୍ଞାନୀ ଜାହି ହାୱାସ୍ ମଧ୍ୟ ଆଗାମୀ ଦିନରେ ଏହି ଅଂଶ ସମ୍ପର୍କିତ ତଥ୍ୟ ଉପରେ ରିପୋର୍ଟ ଆଣିବା କଥା କହିଛନ୍ତି । ଗ୍ରେଟ୍ ପିରାମିଡ୍କୁ କ୍ଷତି ନପହଞ୍ଚାଇ ଏହାର ଭିତର ରହସ୍ୟ ଜାଣିବା ପାଇଁ ଗବେଷକମାନେ ଏବେ ଅତ୍ୟାଧୁନିକ ଟେକ୍ନୋଲୋଜିର ସାହାଯ୍ୟ ନେଉଛନ୍ତି । ଥର୍ମାଲ୍ ଇମେଜିଂ, 3D ମ୍ୟାପିଂ ଏବଂ ମ୍ୟୁଅନ୍ ସ୍କାନିଂ ଭଳି ପ୍ରଯୁକ୍ତି ମାଧ୍ୟମରେ ପିରାମିଡ୍ ଭିତରର ଅଜଣା ସ୍ଥାନଗୁଡ଼ିକୁ ଯାଞ୍ଚ କରାଯାଉଛି ।