
Shraddha Kapoor Eetha Trailer : ଶ୍ରଦ୍ଧା କପୁରଙ୍କ ନୂଆ ଫିଲ୍ମ ଇଠାର ଟ୍ରେଲର ରିଲିଜ୍, ଡିସେମ୍ବର ୪ରେ ହେବ ରିଲିଜ୍
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ଇଠାର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଶ୍ରଦ୍ଧା କପୁର ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଇ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ।
ଟ୍ରେଲରରେ ଶ୍ରଦ୍ଧାଙ୍କୁ ବିଠାବାଇଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ପାରମ୍ପରିକ ପୋଷାକ, ଲାବଣୀ ଡ୍ୟାନ୍ସ, ସଙ୍ଗୀତ ଓ ରଙ୍ଗିନ ମଞ୍ଚର ଦୃଶ୍ୟ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି । ଜଣେ ମହିଳା କଳାକାର ଭାବେ ବିଠାବାଇଙ୍କ ସଂଘର୍ଷ ଏବଂ ଲୋକକଳା ଜଗତରେ ନିଜର ପରିଚୟ ସୃଷ୍ଟି କରିବାର ଯାତ୍ରାକୁ ଏଥିରେ ଦେଖିବାକୁ ମିଳିବ ।
ଇଠାରେ ମହାରାଷ୍ଟ୍ରର ପାରମ୍ପରିକ ଲୋକକଳା ଲାବଣୀ ଓ ତମାଶାକୁ ଗୁରୁତ୍ୱ ଦିଆଯାଇଛି । ଏହି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ସହ ରଣଦୀପ ହୁଡ୍ଡା ଓ ମହମ୍ମଦ ଜିଶାନ ଅୟୁବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ରଣଦୀପ ଫିଲ୍ମରେ ବିଠାବାଇଙ୍କ ସ୍ୱାମୀ ଅନ୍ନା ସାୱନ୍ତ ମର୍ଚାଣ୍ଟଙ୍କ ଚରିତ୍ରରେ ନଜର ଆସିବେ । ଏହାବ୍ୟତୀତ ଅନନ୍ତ ଯୋଶୀ, ସିଦ୍ଧାର୍ଥ ଯାଦବ, ଅକ୍ଷରା ସିଂହ ଓ ଉଲ୍କା ଗୁପ୍ତା ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି ।
ପୂର୍ବରୁ ଅଗଷ୍ଟରେ ଏହି ଫିଲ୍ମ ରିଲିଜ୍ ହେବାର ଯୋଜନା ଥିଲା । ପରେ ମୁକ୍ତିଲାଭ ତାରିଖରେ ପରିବର୍ତ୍ତନ କରାଯାଇଛି। ଏବେ ଇଠା ୪ ଡିସେମ୍ବର ୨୦୨୬ରେ ରିଲିଜ ହେବ ।