
Property Row: ଅଢ଼େଇ ବର୍ଷରେ ୪୦ ଭିଲ୍ଲା ଓ କଟେଜ୍ କିଣିବା ଅଭିଯୋଗ, ବରିଷ୍ଠ IAS ଅଧିକାରୀଙ୍କ ଉପରେ ଆକ୍ସନ
ଅଢ଼େଇ ବର୍ଷରେ ୪୦ଟି ଭିଲ୍ଲା! । ଅଢ଼େଇ ବର୍ଷରେ ୪୦ଟି ଭିଲ୍ଲା ଓ କଟେଜ୍ କିଣିବା ଅଭିଯୋଗ । ବରିଷ୍ଠ IAS ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । IAS ଅଧିକାରୀ, IPS ପତ୍ନୀ ଓ ପରିବାର ସଦସ୍ୟଙ୍କ ନାଁରେ ୪୦ଟି ସମ୍ପତ୍ତି କିଣାଯାଇଥିବା ଅଭିଯୋଗ । ରାଜସ୍ଥାନରେ ଜଣେ ବରିଷ୍ଠ IAS ଅଧିକାରୀଙ୍କ ପରିବାରର ସମ୍ପତ୍ତି କିଣାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଗୋଟିଏ କମ୍ପାନୀଠାରୁ ୪୦ଟି ଭିଲ୍ଲା ଓ କଟେଜ୍ କିଣାଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବରିଷ୍ଠ IAS ଅଧିକାରୀ ଶିଖର ଅଗ୍ରୱାଲଙ୍କ ବିରୋଧରେ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି ରାଜସ୍ଥାନ ସରକାର । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଶିଖର ଅଗ୍ରୱାଲ, ତାଙ୍କ IPS ଅଧିକାରୀ ପତ୍ନୀ ପ୍ରଶାଖା ମାଥୁର, ସେମାନଙ୍କ ଦୁଇ ପୁଅ ଏବଂ ଶ୍ୱଶୁର-ଶାଶୁଙ୍କ ନାଁରେ ଏହି ସମ୍ପତ୍ତି କିଣାଯାଇଥିବା ଅଭିଯୋଗ ହୋଇଛି ।
ସବୁଠାରୁ ବଡ଼ କଥା ହେଉଛି, ଏହି ୪୦ଟି ଭିଲ୍ଲା ଓ କଟେଜ୍ ଗୋଟିଏ ହିଁ କମ୍ପାନୀଠାରୁ କିଣାଯାଇଥିବା କୁହାଯାଉଛି । ତାହା ପୁଣି ମାତ୍ର ଅଢ଼େଇ ବର୍ଷ ମଧ୍ୟରେ। ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ସମ୍ପତ୍ତି କିଣାଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ମଧ୍ୟରେ ଗତ ବୁଧବାର ରାଜସ୍ଥାନ ସରକାର ଶିଖର ଅଗ୍ରୱାଲଙ୍କୁ ଆୱେଟିଂ ପୋଷ୍ଟିଂ ଅର୍ଡର ବା APO ସ୍ଥିତିରେ ରଖିଛନ୍ତି। ଅର୍ଥାତ୍ ତାଙ୍କୁ ବର୍ତ୍ତମାନ ପାଇଁ ନୂଆ ପଦସ୍ଥାପନ ଅପେକ୍ଷାରେ ରଖାଯାଇଛି । ତେବେ ଏଠାରେ ବଡ଼ ପ୍ରଶ୍ନ, ଏହି ୪୦ଟି ସମ୍ପତ୍ତି କିଣିବା ପାଇଁ ଟଙ୍କା ଆସିଲା କେଉଁଠୁ? ସମ୍ପତ୍ତି କିଣାବିକାରେ ସମସ୍ତ ସରକାରୀ ନିୟମ ପାଳନ କରାଯାଇଛି କି ? ସମ୍ପତ୍ତି କିଣା ସମ୍ପର୍କରେ ଆବଶ୍ୟକ ଘୋଷଣା କରାଯାଇଥିଲା କି?