ଦେଶ ବିଦେଶ

NEET Paper Leaks: ପେପର୍ ଲିକ୍ ରୋକିବାକୁ କଠୋର ଆଇନ, ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ଓ ୧୦ କୋଟି ଜରିମାନା

ପେପର୍ ଲିକ୍ ରୋକିବାକୁ କଠୋର ହେବ ଦଣ୍ଡ । ପରୀକ୍ଷା ମାଫିଆଙ୍କ ପାଇଁ ଆହୁରି କଡ଼ା ହେବ ଆଇନ । ୩ ମାସରେ ବିଚାର, ସଂଗଠିତ ଅପରାଧରେ ୧୦ ବର୍ଷ ଜେଲ୍ ଓ ୧୦ କୋଟି ଜରିମାନା । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ବିରୋଧରେ ଆହୁରି କଠୋର ହେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସୋମବାର ଲୋକସଭାରେ ଆସିବାକୁ ଥିବା ନୂଆ ସଂଶୋଧନ ବିଲ୍ ରେ ଜେଲ୍ ଦଣ୍ଡ ଓ ଜରିମାନା ବୃଦ୍ଧି ସହ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟର ବ୍ୟବସ୍ଥା ରହିବ। ଚାର୍ଜସିଟ୍ ଦାଖଲ ହେବାର ୩ ମାସ ମଧ୍ୟରେ ବିଚାର ଶେଷ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି।

ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ସିଜେପିର ତୀବ୍ର ଆନ୍ଦୋଳନ ପରେ Public Examinations ଆକ୍ଟ ୨୦୨୪ରେ ବ୍ୟାପକ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି। ସୋମବାର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବେ। ନୂଆ ବ୍ୟବସ୍ଥାରେ ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ, ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଏବଂ ବିଚାର ସମୟରେ ପ୍ରତିଦିନ ଶୁଣାଣି ପାଇଁ ବ୍ୟବସ୍ଥା ରଖିବାର ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଆଇନ ଅନୁସାରେ ପରୀକ୍ଷାରେ ‘ଅନୁଚିତ ଉପାୟ ଓ ଅପରାଧ’ରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୫ ବର୍ଷରୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରିବ। ଏହାସହ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଲାଗିପାରିବ। ବର୍ତ୍ତମାନ ଆଇନରେ ଏଥିପାଇଁ ୩ରୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଜରିମାନାର ବ୍ୟବସ୍ଥା ରହିଛି। ପରୀକ୍ଷା ପରିଚାଳନା ସହ ଜଡ଼ିତ କୌଣସି ସର୍ଭିସ୍ ପ୍ରୋଭାଇଡର ଦୋଷୀ ସାବ୍ୟସ୍ତ ହେଲେ ୫ କୋଟି ଜରିମାନା ହୋଇପାରିବ।

ଏହାସହ ପରୀକ୍ଷା ପରିଚାଳନାର ଆନୁପାତିକ ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ ସଂସ୍ଥାଠାରୁ ଆଦାୟ କରାଯିବ ଏବଂ ୮ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବ ନାହିଁ। ବର୍ତ୍ତମାନ ଆଇନରେ ଏହି ଜରିମାନା ୧ କୋଟି ଓ ପ୍ରତିବନ୍ଧକ ଅବଧି ୪ ବର୍ଷ ରହିଛି। ତଦନ୍ତରେ ସର୍ଭିସ୍ ପ୍ରୋଭାଇଡର ସଂସ୍ଥାର କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା ଅଧିକାରୀ କିମ୍ବା ଦାୟିତ୍ୱରେ ଥିବା ବ୍ୟକ୍ତି ଦୋଷୀ ମିଳିଲେ ସେମାନଙ୍କ ପାଇଁ ସର୍ବନିମ୍ନ ଜେଲ୍ ଅବଧି ୩ ବର୍ଷରୁ ୫ ବର୍ଷକୁ ଏବଂ ଜରିମାନା ୨ କୋଟିରୁ ୫ କୋଟିକୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି।

ସେପଟେ ସଂଗଠିତ ଭାବେ ପେପର୍ ଲିକ୍ କରାଯାଇଥିବା ମାମଲାରେ ଆହୁରି କଠୋର ଦଣ୍ଡ ପ୍ରସ୍ତାବ ରହିଛି। ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ସର୍ବନିମ୍ନ ୭ ବର୍ଷରୁ ସର୍ବାଧିକ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା ଦେବାକୁ ପଡ଼ିପାରେ। ସରକାରଙ୍କ କହିବା ଅନୁସାରେ, ଗତ କିଛି ବର୍ଷରେ ବିଭିନ୍ନ ସରକାରୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାର ଘଟଣା ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ପ୍ରଭାବିତ କରିଛି। ତେଣୁ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ବିଶ୍ୱସନୀୟ କରିବା ସହ ତଦନ୍ତ ଓ ବିଚାରକୁ ସମୟସୀମା ମଧ୍ୟରେ ଶେଷ କରିବା ଲକ୍ଷ୍ୟରେ ଏହି ସଂଶୋଧନ ଅଣାଯାଉଛି।

 

Leave a Reply

Your email address will not be published. Required fields are marked *

Back to top button