ରାଜ୍ୟ

୩୩୨ଗ୍ରାମ ଧଳାଜହର ଜବତ ; ୨୧ବର୍ଷର ଯୁବକ ଗିରଫ

କାକଟପୁର:- ପୁରୀ ଜିଲ୍ଲା ନିମାପଡା ଅବକାରୀ ବିଭାଗ ଅଧୀନ ଥିବା କାକଟପୁର ଅଂଚଳରୁ ପୁଣି ଏକ ବଡ଼ ଡ୍ରଗ୍ସ କାରବାର ପର୍ଦ୍ଦାଫାସ୍। ପୁରୀ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ନିମାପଡ଼ା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଭାକର ସେଠୀଙ୍କ ନେତୃତ୍ୱରେ କାକଟପୁର ମା’ ମଙ୍ଗଳା କଲେଜ ନିକଟ ରାସ୍ତାରେ ଚଢ଼ାଉ କରାଯାଇ ଜଣେ ଯୁବକୁ ଗିରଫ କରାଯାଇଛି। ତା’ ନିକଟରୁ ୩୩୨ଗ୍ରାମ୍ ହେରୋଇନ୍, ବିକ୍ରି ଟଙ୍କା ୨୨ଶହ ଓ ଗୋଟିଏ ଭିଭୋ ମୋବାଇଲ୍ ଜବତ ହୋଇଛି। ଗିରଫ ଯୁବକ ଜଣକ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ଗାଁର ଆଦିତ୍ୟ ବେହେରା(୨୧) ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ନିମାପଡ଼ା ରେଞ୍ଜରେ ପିଆର ନମ୍ବର ୨୫/୨୬-୨୭ରେ ମାମଲା ରୁଜୁ ହୋଇଛି। ପରେ ଅଭିଯୁକ୍ତକୁ ମାନ୍ୟବର କୋର୍ଟରେ ହାଜର କରାଯାଇଛି।
ଖବର ମୁତାବକ,କାକଟପୁର ଥାନା ଅଧୀନ ମା’ ମଙ୍ଗଳା କଲେଜ ଅଞ୍ଚଳରେ ଏଭଳି ଡ୍ରଗ୍ସ କାରବାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜ ପାଖରେ ଛାତ୍ରଛାତ୍ରୀଙ୍କ ଯାତାୟତ ସମୟରେ ହେରୋଇନ୍ ଭଳି ମାଦକ ଦ୍ରବ୍ୟ କାରବାର ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଉଦ୍‌ବେଗ ଦେଖାଦେଇଛି। ଅସ୍ତରଙ୍ଗ ଅଞ୍ଚଳର ଜଣେ ୨୧ବର୍ଷ ଯୁବକ ଏଭଳି କାରବାରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଯୁବପିଢ଼ି ଉପରେ ଡ୍ରଗ୍ସ ମାଫିଆଙ୍କ ପ୍ରଭାବ କେତେ ବଢ଼ିଲାଣି ତାହା ସ୍ପଷ୍ଟ ହୋଇପଡ଼ିଛି। ପୋଲିସ ସୂତ୍ରରୁ,ଅଭିଯୁକ୍ତ ଆଦିତ୍ୟ ବେହେରା ଦୀର୍ଘ ଦିନ ଧରି ଏହି କାରବାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତା’ ନିକଟରୁ ଜବତ ହୋଇଥିବା ୩୩୨ ଗ୍ରାମ୍ ହେରୋଇନ୍‌ର ଆନ୍ତର୍ଜାତିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ମାତ୍ର ୨୨ଶହ ଟଙ୍କା ବିକ୍ରି ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ ହୋଇଥିବାରୁ ଏହା କେବଳ ଖୁଚୁରା ବିକ୍ରି ନୁହେଁ, ଏକ ବଡ଼ ରାକେଟ୍‌ର ଅଂଶ ହୋଇପାରେ ବୋଲି ଅବକାରୀ ପୋଲିସ ସନ୍ଦେହ କରୁଛି। ନିମାପଡ଼ା ରେଞ୍ଜ ଅଧିକାରୀ ଶ୍ରୀ ପ୍ରଭାକର ସେଠୀ କହିଛନ୍ତି, “ମା’ ମଙ୍ଗଳା କଲେଜ ନିକଟ ଅଞ୍ଚଳରେ ଡ୍ରଗ୍ସ କାରବାର ହେଉଥିବା ସୂଚନା ପାଇ ଆମେ ଚଢ଼ାଉ କରିଥିଲୁ। ଅଭିଯୁକ୍ତ ନିକଟରୁ ବିପୁଳ ପରିମାଣର ହେରୋଇନ୍ ଜବତ ହୋଇଛି। ସେ କେଉଁଠୁ ଏହି ମାଦକ ଦ୍ରବ୍ୟ ଆଣୁଥିଲା ଓ କାହାକୁ ବିକୁଥିଲା ସେ ସମ୍ପର୍କରେ ତଦନ୍ତ ଚାଲିଛି। ଏହି ରାକେଟ୍‌ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ମଧ୍ୟ ଖୋଜା ଚାଲିଛି।” ଉଲ୍ଲେଖଯୋଗ୍ୟ, ଅସ୍ତରଙ୍ଗ ବ୍ଲକ୍ ଉପକୂଳବର୍ତ୍ତୀଅଞ୍ଚଳ, କାକଟପୁର, ଖଣ୍ଡାସାହି ତାଳଦା ସେତୁ ଅଂଚଳରେ ବିପୁଳ ପରିମାଣର ଡ୍ରଗ୍ସ ଚୋରା ଚାଲାଣ ହେବାର ଆଶଙ୍କା ପୂର୍ବରୁ ବି ଥିଲା।ଆଜିର ଧରପଡ଼ ପରେ ସେହି ଆଶଙ୍କା ଆଉ ଦୃଢ଼ ହୋଇଛି। ସ୍ଥାନୀୟ ଲୋକଙ୍କ ଦାବି, ମା’ ମଙ୍ଗଳା କଲେଜ ସମେତ ଅସ୍ତରଙ୍ଗ, କାକଟପୁର ଅଞ୍ଚଳର ସମସ୍ତ ସ୍କୁଲ୍ କଲେଜ ଚାରିପାଖରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ। ଡ୍ରଗ୍ସ କାରବାରେ ସମ୍ପୃକ୍ତ ମୁଖ୍ୟ ମାଫିଆଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅନ୍ୟଥା ଆଦିତ୍ୟ ପରି ଆଉ ଅନେକ ଯୁବକ ଏହି କଳା ବ୍ୟବସାୟରେ ପଡ଼ି ନିଜ ଜୀବନ ନଷ୍ଟ କରିବେ। ପୁରୀ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ନିମାପଡ଼ା ଅବକାରୀ ପୋଲିସ ଆଗକୁ ଏଭଳି ଚଢ଼ାଉ ଜାରି ରଖିବ ବୋଲି କହିଛି। ଜବତ ହୋଇଥିବା ମୋବାଇଲ୍‌ରୁ କଲ୍ ଡିଟେଲ୍ସ ଓ ଅନ୍ୟ ସୂଚନା ଆଧାର ରେ ଆଗକୁ ଆଉ ଅନେକ ଧରପଡ଼ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button