ଦେଶ ବିଦେଶ

Azamgarh Accident : ଗଣେଶ ପୂଜା ବୁଲି ଯିବା ହେଲା କାଳ, ଗଛରେ ପିଟି ହୋଇ ଓଲଟିଲା କାର୍, ୩ ମୃତ

ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲାର ଫୁଲପୁର ଥାନା ଅଞ୍ଚଳରେ ଦୁର୍ଘଟଣାରେ ଉଜୁଡିଗଲା ଅନେକ ପରିବାର । ଜଗଦୀଶପୁର ନିକଟରେ ଦ୍ରୁତଗତିରେ ଯାଉଥିବା ଏକ କାର୍ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଧକ୍କା ହୋଇ ଓଲଟି ପଡ଼ିଥିଲା । ଫଳରେ ଦୁର୍ଘଟଣାରେ କାରରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ପଞ୍ଜାବ ନମ୍ବର ଥିବା ଏକ କାର୍ ରେ ମୋଟ ୯ ଜଣ ଯୁବକ ଯାତ୍ରା କରୁଥିଲେ । ସେମାନେ ଗଣେଶ ପୂଜା ପାଇଁ ଫୁଲପୁରରୁ ସରାୟମୀର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ୫ଟା ସମୟରେ ଜଗଦୀଶପୁର ନିକଟରେ ପହଞ୍ଚିବା ପରେ ହଠାତ୍ ଦ୍ରୁତଗତିରେ ଥିବା କାର୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଦୁର୍ଘଟଣା ବେଳେ ସତ୍ୟମ ମୋଦନୱାଲ (୨୦) ଏବଂ ନିଖିଲ ଗୁପ୍ତା (୧୭)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ.ମୃତଦେହ କାର୍ ଭିତରେ ଫସି ରହିଥିବା ଜଣାପଡ଼ିଥିଲା । ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ହୋଇଥିବା ଯୁବକ ଲକି ସୋନକର (୧୯)ଙ୍କୁ ଚିକିତ୍ସା ପାଇଁ ଫୁଲପୁର ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଲକିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅଂଶ ସୋନକର (୧୭), ଅନମୋଲ ମୋଦନୱାଲ (୧୮), କିଶନ ମୋଦନୱାଲ (୨୦), ସକ୍ଷମ ବର୍ଣ୍ଣୱାଲ (୧୭), ଅନୁରାଗ ପାଣ୍ଡେ ଏବଂ ଶଗୁନ ଗୁରୁତର ରହିଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଖବର ପାଇବା ପରେ ମୃତକ ଓ ଆହତଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଫୁଲପୁରର CO କିରଣ ପାଲ ସିଂହ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Back to top button