ଜ୍ୟୋତିଷ

Tilak Rules: କପାଳରେ ତିଳକ ଲଗାଇବାର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ ନିୟମ

ହିନ୍ଦୁ ଧର୍ମରେ ତିଳକ ଲଗାଇବାର ରହିଛି ବିଶେଷ ମହତ୍ତ୍ୱ। ପୂଜାପାଠ ହେଉ କି ମନ୍ଦିର ଦର୍ଶନ, ଅଥବା କୌଣସି ଶୁଭ କାର୍ଯ୍ୟ, କପାଳରେ ତିଳକ ଲଗାଇବା ଏକ ପ୍ରାଚୀନ ପରମ୍ପରା । ଧାର୍ମିକ ମାନ୍ୟତା ଅନୁଯାୟୀ, ତିଳକ ଭଗବାନଙ୍କ ପ୍ରତି ଆସ୍ଥା ଓ ସମର୍ପଣର ପ୍ରତୀକ । କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ତିଳକ ଲଗାଇବାର ବିଭିନ୍ନ ନିୟମ ଓ ମାନ୍ୟତା ଜ୍ୟୋତିଷ ଶାସ୍ତ୍ର ସହ ମଧ୍ୟ ଜଡ଼ିତ । ତେବେ କେଉଁ ତିଳକ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ବୋଲି ବିଶ୍ୱାସ ରହିଛି? କେଉଁ ଗ୍ରହ ପାଇଁ କେଉଁ ତିଳକ ଶୁଭ? ଆଉ ତିଳକ ଲଗାଇବାର ସଠିକ୍ ନିୟମ କ’ଣ? ଆସନ୍ତୁ ଜାଣିବା…

ହିନ୍ଦୁ ଧର୍ମରେ ତିଳକକୁ ଶୁଭତ୍ୱ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ତିଳକ ଲଗାଇବା ଦ୍ୱାରା ମନ ଶାନ୍ତ ରହିବା ସହ ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷାଚାର୍ଯ୍ୟ ଶୈଳେନ୍ଦ୍ର ପାଣ୍ଡେଙ୍କ ଅନୁଯାୟୀ, ତିଳକ ଲଗାଇବା ପାଇଁ କିଛି ବିଶେଷ ନିୟମ ରହିଛି । ସ୍ନାନ କରି ଶରୀରକୁ ପରିଷ୍କାର ରଖିବା ପରେ ତିଳକ ଲଗାଇବା ଉଚିତ । ପ୍ରଥମେ ନିଜର ଇଷ୍ଟଦେବଙ୍କୁ ତିଳକ ଲଗାଇବା ପରେ ନିଜେ ତିଳକ ଧାରଣ କରିବାର ପରମ୍ପରା ରହିଛି । ନିଜ କପାଳରେ ତିଳକ ଲଗାଇବା ପାଇଁ ଅନାମିକା ଆଙ୍ଗୁଠି ବ୍ୟବହାର କରାଯାଉଥିବା ବେଳେ ଅନ୍ୟକୁ ତିଳକ ଲଗାଇବା ପାଇଁ ବୁଢ଼ା ଆଙ୍ଗୁଠି ବ୍ୟବହାର କରିବାର ମାନ୍ୟତା ରହିଛି ।

ଧଳା ଚନ୍ଦନର ତିଳକ ମନକୁ ଶାନ୍ତ ରଖିବା ଓ ଏକାଗ୍ରତା ବଢ଼ାଇବା ସହ ଜଡ଼ିତ । ରୋଲି ଓ କୁଙ୍କୁମର ତିଳକକୁ ଆକର୍ଷଣର ପ୍ରତୀକ ବୋଲି ମାନ୍ୟତା ରହିଛି । ସେହିପରି କେଶରର ତିଳକ ନାମ ଓ ଯଶ ବୃଦ୍ଧି ପାଇଁ ଶୁଭ ବୋଲି ବିଶ୍ୱାସ କରାଯାଏ । ଗୋରୋଚନର ତିଳକ କାର୍ଯ୍ୟରେ ସଫଳତା ସହ ଜଡ଼ିତ ଥିବା ବେଳେ ଅଷ୍ଟଗନ୍ଧର ତିଳକକୁ ବିଦ୍ୟା ଓ ବୁଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଏ । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଅଷ୍ଟଗନ୍ଧର ତିଳକ ଶୁଭ ବୋଲି ମାନ୍ୟତା ରହିଛି । ଅନ୍ୟପକ୍ଷରେ, ଭସ୍ମର ତିଳକ ଭଗବାନ ଶିବଙ୍କ ପ୍ରତି ଭକ୍ତିର ପ୍ରତୀକ । ଏହାକୁ ସଙ୍କଟରୁ ରକ୍ଷା ପାଇବା ସହ ମଧ୍ୟ ଯୋଡ଼ାଯାଏ ।

ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ପାଇଁ ଭିନ୍ନ ଭିନ୍ନ ତିଳକ ଲଗାଇବାର ପରମ୍ପରା ରହିଛି । ସୂର୍ଯ୍ୟଙ୍କ ପାଇଁ ନାଲି ଚନ୍ଦନ, ଚନ୍ଦ୍ରଙ୍କ ପାଇଁ ଧଳା ଚନ୍ଦନ ଏବଂ ମଙ୍ଗଳଙ୍କ ପାଇଁ କମଳା ରଙ୍ଗର ସିନ୍ଦୂର ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି। ସେହିପରି ବୁଧ ଗ୍ରହଙ୍କ ପାଇଁ ଅଷ୍ଟଗନ୍ଧ ଏବଂ ବୃହସ୍ପତି ଗ୍ରହଙ୍କ ପାଇଁ କେଶରର ତିଳକ ଲଗାଇବାକୁ କୁହାଯାଏ । ଶୁକ୍ର ଗ୍ରହଙ୍କ ପାଇଁ ପ୍ରଥମେ ରୋଲି ଓ ତା’ ଉପରେ ଅକ୍ଷତ ଅର୍ଥାତ୍ ଅତୁଟ ଚାଉଳ ଲଗାଇବାର ପରମ୍ପରା ରହିଛି । ଶନି, ରାହୁ ଓ କେତୁଙ୍କ ପାଇଁ କପାଳରେ ତିନୋଟି ଆଙ୍ଗୁଠି ସାହାଯ୍ୟରେ ଭସ୍ମ ଲଗାଇବାର ମାନ୍ୟତା ରହିଛି । ଏହାକୁ ତ୍ରିପୁଣ୍ଡ କୁହାଯାଏ ।

ମହିଳାମାନଙ୍କ କଳା ବିନ୍ଦି ଲଗାଇବାକୁ ନେଇ ମଧ୍ୟ ବିଭିନ୍ନ ଧାର୍ମିକ ମାନ୍ୟତା ପ୍ରଚଳିତ ରହି ଛି। କିଛି ଲୋକ କଳା ରଙ୍ଗକୁ ଦୁଃଖ ଓ ଶୋକର ପ୍ରତୀକ ବୋଲି ବିବେଚନା କରନ୍ତି । ଏହି କାରଣରୁ ବିବାହିତ ମହିଳାମାନେ କଳା ବିନ୍ଦି କିମ୍ବା କଳା ତିଳକ ଲଗାଇବାଠାରୁ ଦୂରେଇ ରହିବା ଉଚିତ ବୋଲି କେତେକ ଲୋକ ବିଶ୍ୱାସ କରନ୍ତି । ଏହାକୁ ବୈବାହିକ ଜୀବନ ପାଇଁ ଅଶୁଭ ବୋଲି ମଧ୍ୟ ମାନାଯାଏ । ତେବେ ଏହି ଧାରଣାଗୁଡ଼ିକ ଧାର୍ମିକ ମାନ୍ୟତା ଓ ପରମ୍ପରା ଉପରେ ଆଧାରିତ । ତେବେ ତିଳକ ଲଗାଇବା କେବଳ ଏକ ପରମ୍ପରା ନୁହେଁ, ବରଂ ଅନେକ ଲୋକଙ୍କ ପାଇଁ ଏହା ଆସ୍ଥା ଓ ଭକ୍ତିର ପ୍ରତୀକ। ବିଭିନ୍ନ ତିଳକକୁ ନେଇ ରହିଥିବା ମାନ୍ୟତା ଅଞ୍ଚଳ ଓ ପରମ୍ପରା ଅନୁସାରେ ଭିନ୍ନ ହୋଇପାରେ ।

Leave a Reply

Your email address will not be published. Required fields are marked *

Back to top button