
Chief Minister: ଓଡ଼ିଶାକୁ ବଡ଼ ନିବେଶ ଲକ୍ଷ୍ୟ, ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ
ନିବେଶ ଆଣିବାକୁ ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ବଡ଼ ନିବେଶ ଆଣିବା ଲକ୍ଷ୍ୟରେ ଆଜି UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ଗସ୍ତ ସମୟରେ ଦୁବାଇ ଓ ଆବୁଧାବିରେ ବିଭିନ୍ନ ବଡ଼ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ତାଙ୍କର ବୈଠକ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି UAE ଗସ୍ତର ମୁଖ୍ୟ ଫୋକସ୍ ରହିବ ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା। ବିଶ୍ୱର ବଡ଼ ନିବେଶକଙ୍କ ଆଗରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ରଖାଯିବ। ରାଜ୍ୟର ବିପୁଳ ଖଣିଜ ସମ୍ପଦ, ଦୀର୍ଘ ସମୁଦ୍ରତଟ, ବନ୍ଦର ସୁବିଧା ଏବଂ ଶିଳ୍ପ ଅନୁକୂଳ ପରିବେଶକୁ ଆଗରେ ରଖି ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ଲଗାଇବାକୁ ଆହ୍ୱାନ କରାଯିବ।
ଖଣି ଓ ଧାତୁ ଶିଳ୍ପ, ଗ୍ରୀନ୍ ଷ୍ଟିଲ୍ ଓ ଆଲୁମିନିୟମ୍, କେମିକାଲ୍ ଓ ପେଟ୍ରୋକେମିକାଲ୍, ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଏବଂ ନବୀକରଣଯୋଗ୍ୟ ଶକ୍ତି ଭଳି କ୍ଷେତ୍ର ଏହି ନିବେଶ ଅଭିଯାନର ପ୍ରମୁଖ ଫୋକସ୍ ରେ ରହିବ। ଦୁବାଇ ଓ ଆବୁଧାବିରେ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଥିବା ନିବେଶ ସୁଯୋଗକୁ ନେଇ ପିଚ୍ କରିବେ। UAEରୁ ବଡ଼ ପୁଞ୍ଜି ଆଣି ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ସହ ଅଧିକ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ। ପୂର୍ବରୁ UAEର ନିବେଶକଙ୍କ ସହ ଓଡ଼ିଶାର ଶିଳ୍ପ ସମ୍ପର୍କ ଆଗକୁ ବଢ଼ିଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପରେ ଓଡ଼ିଶାକୁ କେତେ ନୂଆ ନିବେଶ ପ୍ରସ୍ତାବ ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବଡ଼ ଡିଲ୍ ହେଉଛି, ତାହା ଉପରେ ନଜର ରହିବ।