
Ashutosh murder case: ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା , କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର
ଆଶୁତୋଷଙ୍କ ମୃତ୍ୟୁର କାରଣ ଖୋଜିବ କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆଶୁତୋଷ କେମିତି ପୋଡି ହୋଇ ମରିଲେ? ମୃତ୍ୟୁ କାଳୀନ ଜମାନ ବନ୍ଦୀରେ ସେ ଦେଇଥିବା ବୟାନ ଅନୁସାରେ ତାଙ୍କ ସ୍ତ୍ରୀ ଓ ଶଳା ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ କି ? ଏସବୁର ତଦନ୍ତ କ୍ରାଇମବ୍ରାଞ୍ଚ ମାଧ୍ୟମରେ କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତୁରନ୍ତ ସମସ୍ତ ରେକର୍ଡ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ଏହାପରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ ଏମକେସିଜି ମେଡିକାଲ ଓ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଭାଇରଲ ହୋଇଥିବା ଏକ ଭିଡ଼ିଓ ରେ ଆଶୁତୋଷ ଦର୍ଶାଇ ଥିଲେ ତାଙ୍କ ସ୍ତ୍ରୀ ଓ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ମୃତ୍ୟୁ ହୋଇଥିଲା । ଆଶୁତୋଷଙ୍କୁ ନ୍ୟାୟ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶୁତୋଷଙ୍କ ଭଉଣୀ।