
Teacher Achievement: ଗାଁ ସ୍କୁଲରୁ ଦିଲ୍ଲୀ ଦରବାର, ଓଡ଼ିଶାର ଗୁରୁଙ୍କୁ ସଲାମ
ଓଡ଼ିଶାର ମାଟିରୁ ଦିଲ୍ଲୀ ଦରବାର । ଶିକ୍ଷାଦାନରେ ନୂଆ ଦିଗ ଦେଖାଇଲେ ଓଡ଼ିଆ ଶିକ୍ଷକ! ଗାଁ ସ୍କୁଲର ଶ୍ରେଣୀଗୃହରୁ ଜାତୀୟ ସ୍ତରର ସମ୍ମାନ ପର୍ଯ୍ୟନ୍ତ ଲମ୍ବା ଯାତ୍ରା। ବିଜ୍ଞାନକୁ କେବଳ ବହି ଭିତରେ ସୀମିତ ନରଖି ସରଳ ଓ ଅଭିନବ ଉପାୟରେ ପିଲାଙ୍କ ନିକଟରେ ପହଞ୍ଚାଇଥିବା ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଏବେ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୬। ଦେଶର ୪୮ ଜଣ ଶିକ୍ଷକଙ୍କ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି ସେ। ଆଉ ଏହି ସଫଳତା ପାଇଁ ଆଜି ଗର୍ବିତ ଜଗତସିଂହପୁର । ଗର୍ବିତ ସାରା ଓଡ଼ିଶା। ଏ ହେଉଛି ଜଣେ ଶିକ୍ଷକଙ୍କ ସଫଳତାର କାହାଣୀ, ଯିଏ ଶିକ୍ଷାକୁ କେବଳ ପାଠ୍ୟପୁସ୍ତକ ଓ ଚକ୍-ଡଷ୍ଟର ଭିତରେ ଅଟକାଇ ରଖିନାହାନ୍ତି। ଜଟିଳ ବିଜ୍ଞାନକୁ ସରଳ କରିଛନ୍ତି । ପିଲାଙ୍କ ମନରୁ ବିଜ୍ଞାନ ପ୍ରତି ଭୟ ଦୂର କରିଛନ୍ତି । ଆଉ ଶ୍ରେଣୀଗୃହକୁ କରିଛନ୍ତି ଅନୁଭବ ଓ ଆନନ୍ଦର ଜାଗା। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦରାଜ ଉମାକାନ୍ତ ନାୟକ। ଦୀର୍ଘ ବର୍ଷର ଶିକ୍ଷକତା ଜୀବନରେ ତାଙ୍କ ଅଭିନବ ଶିକ୍ଷାଦାନ ଶୈଳୀ ଏବେ ତାଙ୍କୁ ଦେଇଛି ଜାତୀୟ ପରିଚୟ।
୨୦୦୪ ମସିହା ଫେବୃଆରୀ ୨୦ । ବରମୁଣ୍ଡଳୀର ମରିଚପୁର ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଆରମ୍ଭ ହୋଇଥିଲା ତାଙ୍କ ଶିକ୍ଷକତା ଯାତ୍ରା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଗୋଟିଏ ଲକ୍ଷ୍ୟ । ପିଲା ପାଠକୁ କେବଳ ପଢ଼ିବେ ନାହିଁ । ଅନୁଭବ ବି କରିବେ । ବିଶେଷକରି ବିଜ୍ଞାନ ଶିକ୍ଷାକୁ ସରଳ, ପ୍ରାୟୋଗିକ ଓ ଆନନ୍ଦଦାୟକ କରିବାରେ ସେ ଦେଇଛନ୍ତି ଗୁରୁତ୍ୱ। ତାଙ୍କ ଗବେଷଣାମୂଳକ ଶିକ୍ଷାଦାନ ପଦ୍ଧତି ନେଇ ୨ଟି ଅନ୍ତର୍ଜାତୀୟ ଓ ୪ଟି ଜାତୀୟ ସମ୍ମିଳନୀରେ ଗବେଷଣା ପତ୍ର ଉପସ୍ଥାପିତ ହୋଇଛି। କିନ୍ତୁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ହେଉଛି ତାଙ୍କ ଛାତ୍ରଛାତ୍ରୀଙ୍କ ସଫଳତା। ଗାଁ ସ୍କୁଲର ପିଲାଙ୍କ ମନରେ ବିଜ୍ଞାନକୁ ନେଇ ଥିବା ଭୟକୁ ଦୂର କରିବାରୁ ଆରମ୍ଭ ହୋଇଥିଲା ପ୍ରୟାସ। ବିଜ୍ଞାନକୁ ଶ୍ରେଣୀଗୃହରୁ ବାହାରକୁ ନେଇ ପ୍ରୟୋଗ ମାଧ୍ୟମରେ, ଅନୁଭବ ମାଧ୍ୟମରେ, ଆନନ୍ଦ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଇଥିଲେ ପଦରାଜ। ତାଙ୍କ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଆଉ ଆଜି ସେହି ଶିକ୍ଷକଙ୍କ ମୁଣ୍ଡରେ ଲାଗିଛି ଜାତୀୟ ସମ୍ମାନର ମୁକୁଟ।
ସେପ୍ଟେମ୍ବର ୫ । ଗୁରୁଦିବସ ଅବସରରେ ଦେଶର ୪୮ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର। ସେହି ତାଲିକାରେ ଓଡ଼ିଶାରୁ ଏକମାତ୍ର ନାମ ପଦରାଜ ଉମାକାନ୍ତ ନାୟକ। ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିବାକୁ ଯାଇଛନ୍ତି ଓଡ଼ିଶାର ଏହି ଗର୍ବ। ଏହା କେବଳ ଜଣେ ଶିକ୍ଷକଙ୍କ ସମ୍ମାନ ନୁହେଁ । ଏହା ହେଉଛି ଗାଁ ସ୍କୁଲ, ଓଡ଼ିଶାର ଶିକ୍ଷା ଓ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନର ସମ୍ମାନ। ଗୋଟିଏ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ସେ ଭବିଷ୍ୟତ ଗଢ଼ନ୍ତି। ପଦରାଜ ଉମାକାନ୍ତ ନାୟକଙ୍କ ଏହି ସଫଳତା ତାହାର ଏକ ଉଦାହରଣ। ଗାଁର ଶ୍ରେଣୀଗୃହରୁ ଦିଲ୍ଲୀର ମଞ୍ଚ, ଓଡ଼ିଶାର ଜଣେ ଶିକ୍ଷକଙ୍କ ସଫଳତା ଆଜି ଲେଖିଛି ନୂଆ ଅଧ୍ୟାୟ। ଗର୍ବିତ ଓଡ଼ିଶା ଗର୍ବିତ ଗୁରୁ।