
Shajapur Bus Accident: ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୨୯ ଜଣ ଆହତ
ମଧ୍ୟପ୍ରଦେଶର ଶାଜାପୁରରେ ଜାତୀୟ ରାଜପଥ-୫୨ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯାତ୍ରୀବାହୀ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସଟି ସିରୋଞ୍ଜରୁ ଇନ୍ଦୋର ଅଭିମୁଖେ ଯାଉଥିଲା । ବସରେ ୪୦ ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ୩ଟା ୩୦ମିନିଟରେ ଦ୍ରୁତଗାମୀ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଲା । ଘଟଣା ବିଷୟରେ ସୂଚନା ପାଇ ତୁରନ୍ତ ୧୧୨ ଏବଂ ୧୦୮ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ I ସମସ୍ତ ୨୯ ଆହତଙ୍କୁ ତୁରନ୍ତ ଆମ୍ବୁଲାକ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା I ସମସ୍ତ ଆହତ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନିରୀକ୍ଷଣରେ ରଖାଯାଇଛି I
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରିଛି । ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର ପାରିପାର୍ଶିକ ପରିସ୍ଥିତିର ତଦନ୍ତ ମଧ୍ୟ ଆରମ୍ଭ କରିଛି ।