
India vs Japan: ଭାରତ-ଜାପାନ ମଧ୍ୟରେ ଐତିହାସିକ T20 ମ୍ୟାଚ୍, ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ଦଳ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏକ ବଡ଼ ଘୋଷଣା କରିଛି । ଏସୀୟ କ୍ରୀଡ଼ାରେ ଅଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଜାପାନ ବିପକ୍ଷରେ ଏକ ଐତିହାସିକ T20 ମ୍ୟାଚ୍ ଖେଳିବ । ପୁରୁଷ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଓ ଜାପାନର ଜାତୀୟ କ୍ରିକେଟ୍ ଦଳ ପରସ୍ପରକୁ ଭେଟିବେ । ଏହି ଐତିହାସିକ ମ୍ୟାଚ୍ ସେପ୍ଟେମ୍ବର ୨୨, ୨୦୨୬ରେ ଜାପାନର ଟୋଚିଗି ପ୍ରିଫେକ୍ଚରସ୍ଥିତ ସାନୋ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।
ମ୍ୟାଚ୍ ସକାଳ ୯ଟା ୩୦ ମିନିଟ୍ ISTରେ ଆରମ୍ଭ ହେବ। BCCI ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି । ଭାରତ ଓ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର T20 ମ୍ୟାଚ୍ ଆୟୋଜନ କରାଯାଉଛି । ଏହି ମ୍ୟାଚ୍ ‘Sport 75’ ନାମକ ଏକ ସ୍ୱତନ୍ତ୍ର ପଦକ୍ଷେପର ଅଂଶ । କ୍ରୀଡା ମାଧ୍ୟମରେ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ଏବଂ ବନ୍ଧୁତାକୁ ଆହୁରି ମଜବୁତ କରିବା ଏହାର ପ୍ରମୁଖ ଲକ୍ଷ୍ୟ । ଏହାସହ ଜାପାନ ଏବଂ ପୂର୍ବ ଏସିଆରେ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାର ମଧ୍ୟ ଏକ ବଡ଼ ସୁଯୋଗ ମିଳିବ ।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଭାରତୀୟ ଦଳର ଜାପାନ ଗସ୍ତ ଏକ ଗର୍ବର ବିଷୟ । କ୍ରୀଡା ମାଧ୍ୟମରେ ଦୁଇ ଦେଶର ୭୫ ବର୍ଷର ବନ୍ଧୁତାକୁ ପାଳନ କରିବା ଏକ ସ୍ୱତନ୍ତ୍ର ଅନୁଭୂତି ହେବ । ଅନ୍ୟପକ୍ଷରେ, ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବ । ଏହା ପୂର୍ବରୁ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ମଧ୍ୟ ଖେଳିବ । ସେପ୍ଟେମ୍ବର ୨୨ରେ ଭାରତ-ଜାପାନ ମଧ୍ୟରେ ହେବାକୁ ଯାଉଥିବା ଏହି T20 ମୁକାବିଲା କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ।