ମନୋରଞ୍ଜନ

Sudhir Dalvi: ସାଇବାବା ଫେମ୍ ସୁଧୀରଙ୍କୁ ସାହାଯ୍ୟର ହାତ ବଢାଇଲେ ବଲିଉଡର ହିରୋ

୧୯୭୭ ମସିହାରେ ‘ଶିରିଡି ସାଇ ବାବା’ ରେ ସାଇ ବାବା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଆସୁଥିବା ଅଭିନେତା ସୁଧୀର ଦଲଭି ସମ୍ପ୍ରତି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ପ୍ରାୟ ଗୋଟିଏ ମାସ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ତାଙ୍କ ଅବସ୍ଥା ଭଲ ରହିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ଅଭିନେତା ସୁଧୀରଙ୍କ ଚିକିତ୍ସା ସମୟରେ ହସ୍ପିଟାଲ ବିଲ୍ ଏତେ ବଢିଯାଇଥିଲା ଯାହା ସୁଝିବାକୁ ତାଙ୍କ ପକ୍ଷେ ସମ୍ଭବ ନଥିଲା ।

ରିପୋର୍ଟ ଅନୁସାରେ ସୁଧୀର ଦଲବୀଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସେପ୍ସିସ୍ ନାମକ ଏକ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏହି ଗମ୍ଭୀର ସମସ୍ୟା ଯୋଗୁଁ ତାଙ୍କର ସନ୍ଧି ଜାଗାରେ ସମେତ ହାତ ଏବଂ ଗୋଡ଼ ଉପରେ ପ୍ରଭାବ ପଡିଥିଲା । ଫଳରେ ହଲଚଲ ହେବା ଖୁବ୍ କମ୍ ହୋଇଗଲା । ତାଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କୁ ପୁରା ଗୋଟିଏ ମାସ ରହିବାକୁ ପଡିଲା । ଲମ୍ବା ସମୟ ଧରି ତାଙ୍କ ଚିକିତ୍ସା ହେବାରୁ ତାଙ୍କର ହସ୍ପିଟାଲ ବିଲ୍ ମଧ୍ୟ ବଢିଚାଲିଲା । ଚିକିତ୍ସା ପାଇଁ ସୁଧୀର ୧୯ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଥିଲେ । କିନ୍ତୁ ଚିକିତ୍ସା ପାଇଁ ଆଗକୁ ଆହୁରି ଟଙ୍କା ଦରକାର ବୋଲି ଡାକ୍ତର କହିଥିଲେ । ଯାହା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା ଏବଂ ସେମାନଙ୍କୁ ଆର୍ଥିକ ସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା । ପରିବାର ପକ୍ଷେ ଏହି ସବୁ ଖର୍ଚ୍ଚ କରିବା ଯେତେବେଳେ କଷ୍ଟକର ହୋଇଗଲା ଡିସେମ୍ବର ୨୦୨୫ ମସିହାରେ ବମ୍ବେ ହାଇକୋର୍ଟ ଶ୍ରୀ ସାଇ ବାବା ସଂସ୍ଥା ଟ୍ରଷ୍ଟ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିଲା । ଯାହା ଫଳରେ ତାଙ୍କ ଚିକିତ୍ସା କରିବା ପାଇଁ ପରିବାରକୁ ଆଶ୍ବସ୍ତି ମିଳିଥିଲା ।

ସୁଧୀର ଦଲବୀଙ୍କ ପରିସ୍ଥିତି ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତା ସାହାଯ୍ୟର ହାତ ବଢାଇଥିଲେ । ଅକ୍ଷୟ କୁମାର, ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟନ୍ ଅଭିନେତାଙ୍କ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ହାତ ଆଗକୁ ବଢାଇଥିଲେ । ଏହା ବ୍ୟତୀତ ଅନେକ ଇଣ୍ଡଷ୍ଟ୍ରିର ଲୋକ ଏବଂ ସାଇ ବାବାଙ୍କ ଭକ୍ତମାନେ ମଧ୍ୟ ସାହାଯ୍ୟରେ ସାମିଲ ହୋଇଥିଲେ । ଏବେ କିନ୍ତୁ ଅଭିନେତା ଘରକୁ ଫେରି ଆସିଛନ୍ତି ବୋଲି ପତ୍ନୀ ସୁହାସ ଦଲଭୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ତାଙ୍କୁ ଚାଲିବା ପାଇଁ ୱାକରର ସାହାଯ୍ୟ ଆବଶ୍ୟକତା ରହିଛି ।

ତାଙ୍କ ପତ୍ନୀ ଆହୁରି କହିଛନ୍ତି ଯେ, ‘ସେ ଏବେ ଘରେ ଅଛନ୍ତି । ତାଙ୍କୁ ୱାକର ସାହାଯ୍ୟରେ ଚାଲିବାକୁ ପଡିବ । ସେ ଘରେ ପହଞ୍ଚି ଖୁସି ଏବଂ ମୁଁ ମଧ୍ୟ ଖୁସି । ଯେତେବେଳେ ଖବର ପ୍ରସାରିତ ହେଲା ଆମ ପକ୍ଷେ ବିଲ୍ ଦେବା ସମ୍ଭବ ନୁହେଁ ସେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ମୁଁ ସମସ୍ତ ନାମ ମନେ ରଖିପାରୁନାହିଁ । କିନ୍ତୁ ଅକ୍ଷୟ କୁମାର, ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟନ୍ ସାହାର୍ଯ୍ୟର ହାତ ବଢାଇଥିଲେ ।

Leave a Reply

Your email address will not be published. Required fields are marked *

Back to top button