ରାଜ୍ୟ

New Traffic Rules Alert: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପଡ଼ିବ ମହଙ୍ଗା, ସସ୍ପେଣ୍ଡ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ

ସଡ଼କରେ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ପାଳନ କରିବା ପ୍ରତ୍ୟେକ ଗାଡ଼ି ଚାଳକଙ୍କ ପାଇଁ ଜରୁରୀ । କିନ୍ତୁ ଆଜି ବି ଅନେକ ଚାଳକ ଟ୍ରାଫିକ୍ ନିୟମକୁ ଅଣଦେଖା କରୁଛନ୍ତି । ଯଦି ଆପଣ ମଧ୍ୟ ଗାଡ଼ି ଚଲାଇବା ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । କାରଣ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ସହ ଜଡ଼ିତ ଏକ ଗ୍ରେଡେଡ୍ ପଏଣ୍ଟ୍ ସିଷ୍ଟମ୍ ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି।

କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ଟ୍ରାଫିକ୍ ନିୟମ ମାନୁନଥିବା ଚାଳକଙ୍କ ବିରୋଧରେ ଅଧିକ କଡ଼ା ପଦକ୍ଷେପ ନିଆଯାଇପାରେ । ନୂଆ ବ୍ୟବସ୍ଥା ଅନୁଯାୟୀ, କୌଣସି ଚାଳକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତାଙ୍କ ଡ୍ରାଇଭିଂ ରେକର୍ଡରେ ନେଗେଟିଭ୍ ପଏଣ୍ଟ୍ ଯୋଡ଼ାଯିବ । ଯଦି ଏହି ନେଗେଟିଭ୍ ପଏଣ୍ଟ୍ ନିର୍ଦ୍ଧାରିତ ସୀମାରେ ପହଞ୍ଚିଯାଏ, ତେବେ ସମ୍ପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇପାରେ । ଏହାସହିତ, ଯେଉଁ ଚାଳକମାନେ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗିବେ, ସେମାନଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ବ୍ୟବସ୍ଥାର ଆଉ ଏକ ବିଶେଷ ଦିଗ ହେଉଛି, ଯେଉଁ ଚାଳକମାନେ ନିୟମିତ ଭାବେ ଟ୍ରାଫିକ୍ ନିୟମ ପାଳନ କରିବେ ଏବଂ ଭଲ ଡ୍ରାଇଭିଂ ରେକର୍ଡ ରଖିବେ, ସେମାନେ ମଧ୍ୟ ଏହାର ଲାଭ ପାଇପାରନ୍ତି। ଦାୟିତ୍ୱବାନ ଭାବେ ଗାଡ଼ି ଚଲାଉଥିବା ଚାଳକମାନଙ୍କୁ ଇନସୁରାନ୍ସ କମ୍ପାନୀଗୁଡ଼ିକ ପକ୍ଷରୁ ଇନସେଣ୍ଟିଭ୍ ବା ପ୍ରୋତ୍ସାହନ ମିଳିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ, ଯେଉଁମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇପାରେ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥାୟୀ ଭାବେ ରଦ୍ଦ କରାଯିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇପାରେ । ସଡ଼କ ଦୁର୍ଘଟଣାକୁ କମାଇବା ଏବଂ ଲୋକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ବଢ଼ାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଚାଳକମାନେ ଦାୟିତ୍ୱବାନ ଭାବେ ଗାଡ଼ି ଚଲାଇବା ସହ ଟ୍ରାଫିକ୍ ନିୟମ ପାଳନ କରନ୍ତୁ, ଯାହାଦ୍ୱାରା ସଡ଼କ ଦୁର୍ଘଟଣାକୁ ରୋକାଯାଇପାରିବ, ଏହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *

Back to top button