
Subarnarekha River: ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା, ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି
ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା । ନଦୀରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଜଳେଶ୍ୱରଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଥିବାବେଳେ ପ୍ରଭାବିତ ଅଞ୍ଚଳରେ ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସୂଚନା ଅନୁସାରେ, ଗତକାଲି ଜଳେଶ୍ୱରଠାରେ ସୁବର୍ଣ୍ଣରେଖାର ଜଳସ୍ତର ସର୍ବୋଚ୍ଚ ସୀମାରେ ପହଞ୍ଚିଥିଲା । ଏବେ ପାଣି କମୁଛି । ଆଉ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ନାହିଁ । ନୂଆ ସୂଚନା ମିଳିଲେ ତୁରନ୍ତ ଲୋକଙ୍କୁ ଅବଗତ କରାଯିବ । ବନ୍ୟାରେ ପ୍ରାୟ ୪୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଏସଓପି ଅନୁସାରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ପଲିଥିନ୍ , ପିଇବା ପାଣି ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ପ୍ରଶାସନର ତଥ୍ୟ ଅନୁଯାୟୀ, ପ୍ରାୟ ଏକ ଲକ୍ଷ ପାଣି ବୋତଲ ଓ ୪୦୦ ମେଟ୍ରିକ୍ ଟନ୍ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ୭୫ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି। ଲୋକଙ୍କ ସୁରକ୍ଷା ପାଇଁ ୪ଟି ଓଡ୍ରାଫ୍ ଟିମ୍ , ୪ଟି NDRF ଟିମ୍ ଓ ୧୨ ଅଗ୍ନିଶମ ବାହିନୀ ଦଳ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଟିମ୍ ଓ ଡଙ୍ଗାଗୁଡ଼ିକୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲଗାଯାଇଛି । ସେହିପରି ୩ଟି ମେଡିକାଲ୍ ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ବନ୍ୟା ପରେ ଜଳବାହିତ ରୋଗ ଯେପରି ନ ବ୍ୟାପେ ସେଥିପାଇଁ ମଧ୍ୟ ପ୍ରତିଷେଧକ ପଦକ୍ଷେପ ନିଆଯାଉଛି ।