
ରାହୁଲ ରାୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ! କହିଲେ, ପୁଣି ଥରେ କଥା କହିପାରିବି କି ନାହିଁ ଜଣାନଥିଲା
ଆଶିକୀ ଫିଲ୍ମରୁ ଲୋକପ୍ରିୟ ହୋଇଥିବା ଅଭିନେତା ରାହୁଲ ରାୟଙ୍କୁ କିଏ ନଜାଣେ । କିନ୍ତୁ ରାହୁଲଙ୍କ ସହ ଜଡିତ ଏମିତି ଏକ କଥା ହୁଏତ କେହି ପ୍ରାୟ ଜାଣିନଥିବେ । ଯେଉଁ କଥାକୁ ବର୍ତମାନ ସେ ସମସ୍ତଙ୍କୁ ସେୟାର କରିଛନ୍ତି । କଥାଟା ହେଲାକି ରାହୁଲ ରାୟଙ୍କୁ ହୋଇଥିଲା ବ୍ରେନ୍ ଷ୍ଟ୍ରୋକ୍ । ୨୦୨୦ରେ ହୋଇଥିବା ବ୍ରେନ୍ ଷ୍ଟ୍ରୋକ୍ ର ପରବର୍ତ୍ତୀ କଠିନ ସମୟକୁ ମନେ ପକାଇଛନ୍ତି ରାହୁଲ ।
ସେ କହିଛନ୍ତି, ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ପୁଣି ନିଜ ଜୀବନ ପୂର୍ବ ପରି ହୋଇପାରିବ କି ନାହିଁ, ତାହାକୁ ନେଇ ନିଜେ ମଧ୍ୟ ନିଶ୍ଚିତ ନଥିଲେ । ତେବେ ସମୟ ସହିତ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିଥିଲା ଏବଂ ସେ ପୁଣି ଅଭିନୟ ଜଗତକୁ ଫେରିବାକୁ ସାହସ ଜୁଟାଇଥିଲେ ।
ନିକଟରେ ଏକ ସାକ୍ଷାତକାରରେ ରାହୁଲ ରାୟ ବ୍ରେନ୍ ଷ୍ଟ୍ରୋକ୍ ପରବର୍ତ୍ତୀ ସଂଘର୍ଷ ଓ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଛନ୍ତି । ଏବେ ରାହୁଲ ରାୟ ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଖୁବଶୀଘ୍ର ସୁପର ବାଦଶାହ ନାମ ସିରିଜରେ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ନଜର ଆସିବେ । ଏହି ପ୍ରୋଜେକ୍ଟରେ ସେ ଅଭିନେତା କରଣବୀର ବୋହରାଙ୍କ ସହ ସ୍କ୍ରିନ୍ ସେୟାର କରିବେ ।
ରାହୁଲ କହିଛନ୍ତି ଯେ, କରଣବୀର ବୋହରା ଓ ମାଧବୀ ଏହି ଭୂମିକା ପାଇଁ ତାଙ୍କ ପାଖକୁ ଆସିବାରୁ ସେ ବହୁତ ଖୁସି ହୋଇଥିଲେ । କିନ୍ତୁ ତାଙ୍କୁ ନିଜ ସ୍ପିଚ୍ ପ୍ରବ୍ଲେମ୍କୁ ନେଇ ଚିନ୍ତା ଥିଲା । କାରଣ ୨୦୨୦ରେ କାର୍ଗିଲରେ ଶୁଟିଂ ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତେବେ କରଣବୀର ତାଙ୍କୁ ସମର୍ଥନ କରିଥିବା ସେ କହିଛନ୍ତି ।
ଜୀବନଶୈଳୀରେ ବଡ଼ ପରିବର୍ତ୍ତନ:
ବ୍ରେନ୍ ଷ୍ଟ୍ରୋକ୍ ପରେ ରାହୁଲ ନିଜ ଲାଇଫ୍ଷ୍ଟାଇଲରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିଛନ୍ତି । ସେ ନନଭେଜ୍ ସମ୍ପୂର୍ଣ୍ଣ ଛାଡ଼ିଦେଇ ଏବେ ଭେଜ୍ ଖାଉଛନ୍ତି । ଏପରିକି ପିଆଜ, ରସୁଣ ଓ କ୍ଷୀର ମଧ୍ୟ ଛାଡ଼ିଦେଇଛନ୍ତି ବୋଲି କହିଛନ୍ତି ।
ସେ କହିଛନ୍ତି, ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ପୁଣି ନିଜେ ଚାଲିପାରିବେ କିମ୍ବା କଥା କହିପାରିବେ କି ନାହିଁ, ତାହା ନେଇ ତାଙ୍କର ନିଜ ଉପରେ ଭରସା ନଥିଲା । ସେ ସେତେବେଳେ ବହୁତ ଅଧିକ ସ୍ମୋକିଂ କରୁଥିଲେ ଏବଂ ନନଭେଜ୍ ଖାଉଥିଲେ । ପରେ ସେ ଭେଗାନ୍ ହୋଇଥିଲେ । ବର୍ତ୍ତମାନ ସେ ପ୍ରତିଦିନ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି ଏବଂ ଔଷଧ ମଧ୍ୟ ଖାଉଛନ୍ତି । ତାଙ୍କ କହିବା ଅନୁସାରେ, ଏବେ ତାଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ଅଛି ।
କାର୍ଗିଲରେ ଶୁଟିଂ ସମୟରେ ହୋଇଥିଲା ଷ୍ଟ୍ରୋକ୍:
କାର୍ଗିଲରେ ସୁଟିଂ ସମୟରେ ୨୦୨୦ ମସିହାରେ ରାହୁଲଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ହୃଦୟ ଓ ମସ୍ତିଷ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା । ଏହାପରେ ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ସମୟ ସହ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେ ପୁଣି ଅଭିନୟ ଜଗତକୁ ଫେରିଥିଲେ ।