ଜ୍ୟୋତିଷ

Blood Moon: ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ, ଜାଣନ୍ତୁ କେଉଁଠି ଦେଖିବେ ‘Blood Moon’

ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ । ଆଜି ଆଂଶିକ ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ନୁହେଁ। କିନ୍ତୁ ଗ୍ରହଣର ସର୍ବାଧିକ ସମୟରେ ଚନ୍ଦ୍ରର ପ୍ରାୟ ୯୬.୩ ପ୍ରତିଶତ କ୍ଷେତ୍ରଫଳ ପୃଥିବୀର ଗାଢ଼ ଛାୟା ମଧ୍ୟକୁ ପ୍ରବେଶ କରିବ । ଫଳରେ ଏହା ପ୍ରାୟ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଦେଖାଯିବ । NASA ଏହାକୁ ଅଗଷ୍ଟ ୨୭-୨୮ର ଗଭୀର ଆଂଶିକ ଚନ୍ଦ୍ର ଗ୍ରହଣ ଭାବେ ବର୍ଣ୍ଣନା କରିଛି।  NASAର ତଥ୍ୟ ଅନୁସାରେ, ଭାରତୀୟ ସମୟରେ ଆଜି ସକାଳ ପ୍ରାୟ ୬ଟା ୫୪ରେ ଆଂଶିକ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି । ପ୍ରାୟ ୯ଟା ୪୩ରେ ଗ୍ରହଣ ସର୍ବାଧିକ ସ୍ତରରେ ପହଞ୍ଚିବ ।

ପ୍ରାୟ ୧୧ଟା ୨୨ରେ ଆଂଶିକ ପର୍ଯ୍ୟାୟ ଶେଷ ହେବ। ଆଂଶିକ ଛାୟା ପର୍ଯ୍ୟାୟ ଭାରତୀୟ ସମୟରେ ପ୍ରାୟ ଦିନ ୧୨ଟା ୩୨ ପର୍ଯ୍ୟନ୍ତ ଚାଲିବ । ସର୍ବାଧିକ ଗ୍ରହଣ ସମୟରେ ଚନ୍ଦ୍ରର ୯୬.୩ ପ୍ରତିଶତ କ୍ଷେତ୍ରଫଳ ପୃଥିବୀର ଛାୟା  ଭିତରେ ରହିବ। ତେବେ ଚନ୍ଦ୍ରର ବ୍ୟାସ ହିସାବରେ ପ୍ରାୟ ୯୩ ପ୍ରତିଶତ ଅଂଶ  ଛାୟା  ମଧ୍ୟରେ ରହିବ। ଏହି ଦୁଇଟି ସଂଖ୍ୟା ଭିନ୍ନ ମାପକୁ ଦର୍ଶାଏ । ୯୬.୩% ହେଉଛି ଢାଙ୍କିଥିବା କ୍ଷେତ୍ରଫଳ । ଯେତେବେଳେ ପ୍ରାୟ ୯୩% ହେଉଛି ଚନ୍ଦ୍ରର ବ୍ୟାସର ଅଂଶ। ପୃଥିବୀର ଗାଢ଼ ଛାୟା ଚନ୍ଦ୍ରକୁ ଢାଙ୍କିବା ସହ ଛାୟା ମଧ୍ୟରେ ଥିବା ଚନ୍ଦ୍ରର ବଡ଼ ଅଂଶ ତମ୍ବା, ରେଡ୍ କିମ୍ବା ଅରେଞ୍ଜ ରଙ୍ଗର ଦେଖାଯାଇପାରେ। ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବା ସୂର୍ଯ୍ୟକିରଣର ଲାଲ୍ ଓ କମଳା ରଙ୍ଗର ଆଲୋକ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା କାରଣରୁ ଏପରି ଦୃଶ୍ୟ ସୃଷ୍ଟି ହୁଏ ।

ଏଥିପାଇଁ ଏହାକୁ ସାଧାରଣ ଭାଷାରେ ‘Blood Moon’ ମଧ୍ୟ କୁହାଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନାହିଁ । ଗ୍ରହଣର ମୁଖ୍ୟ ପର୍ଯ୍ୟାୟ ଭାରତରେ ଦିନ ସମୟରେ ହେଉଥିବାରୁ ସେତେବେଳେ ଚନ୍ଦ୍ର ଦିଗନ୍ତ ତଳେ ରହିବ । NASA ଅନୁସାରେ ଏହାର ମୁଖ୍ୟ ଦୃଶ୍ୟମାନ ଅଞ୍ଚଳ ହେଉଛି ଆମେରିକାର ଅଧିକାଂଶ ଭାଗ । ପଶ୍ଚିମ ୟୁରୋପ ଓ ପଶ୍ଚିମ ଆଫ୍ରିକାରେ ଦେଖାଯିବ । ଏହି ଗ୍ରହଣ Saros 138 ଶୃଙ୍ଖଳାର ଏକ ଅଂଶ । ଏହି ଶୃଙ୍ଖଳାର ପୂର୍ବ ଗ୍ରହଣ ୨୦୦୮ ଅଗଷ୍ଟ ୧୬ରେ ହୋଇଥିବା ବେଳେ ପରବର୍ତ୍ତୀଟି ୨୦୪୪ ସେପ୍ଟେମ୍ବର ୭ରେ ହେବ ।

Leave a Reply

Your email address will not be published. Required fields are marked *

Back to top button