ଦେଶ ବିଦେଶ

ତୁରନ୍ତ ଓସିଏ ନିର୍ବାଚନ କରିବାକୁ ବିସିସିଆଇର ଦାବି, ହାଇକୋର୍ଟକୁ ଗଲା ବିବାଦ

କଟକ : ନିର୍ବାଚନକୁ ନେଇ ଓସିଏ- ବିସିସିଆଇ ମୁହାଁମୁହିଁ। ଓଡ଼ିଶା ହାଇକୋର୍ଟକୁ ଗଲା ନିର୍ବାଚନ ବିବାଦ। ନିର୍ବାଚନକୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ଝୁଲାଇ ରଖାଯାଇପାରିବ ନାହିଁ ବୋଲି ଯୁକ୍ତି ବାଢିଛି ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ। ତୁରନ୍ତ ନିର୍ବାଚନ ସପକ୍ଷରେ ଦାବି କରିଛି। ନିର୍ବାଚନ ସ୍ଥଗିତ ରଖିବା କୌଣସି ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ସାଧାରଣ ପରିଷଦ ନିଷ୍ପତ୍ତି ବୋଲି ଜବାବ ରଖିଛି ଓସିଏ। ଆସନ୍ତାକାଲି ହାଇକୋର୍ଟରେ ହେବ ମାମଲାର ଶୁଣାଣି। ପୂର୍ବରୁ ଅଗଷ୍ଟ ୨୧ରେ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ଏନେଇ ସତ୍ୟପାତ ଦାଖଲ କରିଛି ବିସିସିଆଇ। ଓସିଏକୁ ନିଜ ବାଇ-ଲ’, ବିସିସିଆଇଙ୍କ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ନିର୍ବାଚନ କରିବାକୁ ପଡ଼ିବ ବୋଲି ଏଥିରେ ଉଲ୍ଲେଖ ହୋଇଛି।…

ବିସିସିଆଇର ମେମୋରାଣ୍ଡମ୍ ଅଫ୍ ଆସୋସିଏସନ୍ ଅନୁଯାୟୀ, ପଦାଧିକାରୀଙ୍କ କାର୍ଯ୍ୟକାଳ ୩ ବର୍ଷ। ଜଣେ ପଦାଧିକାରୀ ସର୍ବାଧିକ ୩ଟି କାର୍ଯ୍ୟକାଳ ବା ମୋଟ ୯ ବର୍ଷ ପଦରେ ରହିପାରିବେ। ତେବେ ଲଗାତାର ଦୁଇଟି କାର୍ଯ୍ୟକାଳ ପରେ ୩ ବର୍ଷର ବାଧ୍ୟତାମୂଳକ ‘କୁଲିଂ ଅଫ୍’ ଅବଧି ରହିଛି।୨୦୧୮ ଅଗଷ୍ଟ ୯ ଓ ୨୦୨୨ ସେପ୍ଟେମ୍ବର୧୪ର ସୁପ୍ରିମକୋର୍ଟ ରାୟକୁ ଆଧାର କରି ଏହି ବ୍ୟବସ୍ଥା ଲାଗୁ ହୋଇଥିବା କହିଛି ବିସିସିଆଇ। ଏହା ଓସିଏ ପାଇଁ ମଧ୍ୟ ବାଧ୍ୟତାମୂଳକ।ବିସିସିଆଇର ସଦସ୍ୟତା ଓ ସ୍ୱୀକୃତି ବଜାୟ ରଖିବାକୁ ହେଲେ ଓସିଏକୁ ଏହି ନିୟମ ପାଳନ କରିବାକୁ ପଡ଼ିବ ବୋଲି ବୋର୍ଡ ଦର୍ଶାଇଛି। ଓସିଏ କାଉନସିଲ୍ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ କଟକର ସନରାଇଜ୍ କ୍ଲବ୍ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି। ୨୦୨୫ ଅକ୍ଟୋବରରେ ହେବାକୁ ଥିବା ଓସିଏ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବାକୁ ଆବେଦନକାରୀମାନେ ଚ୍ୟାଲେଞ୍ଜ କରିଛନ୍ତି।…

ସେପଟେ ନିର୍ବାଚନ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଯୁକ୍ତି ବାଢିଛି ଓସିଏ। ଅଗଷ୍ଟ ୨୧ରେ ଦାଖଲ ପ୍ରତି ସତ୍ୟପାଠରେ OCA ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ନିର୍ବାଚନ ଓ ବର୍ତ୍ତମାନର ପଦାଧିକାରୀଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଙ୍ଗରେ ୨୦୨୫ ଅଗଷ୍ଟ ୩୧ ଏବଂ ୨୦୨୬ ଫେବ୍ରୁଆରୀ ୨୨ରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ବିଚାର କରାଯାଇଥିଲା। ବର୍ତ୍ତମାନର ପଦାଧିକାରୀଙ୍କୁ ଜାରି ରଖିବା ନିଷ୍ପତ୍ତି ସାଧାରଣ ପରିଷଦର ଅନୁମୋଦନରେ ହୋଇଥିଲା। ଏହା କୌଣସି ପଦାଧିକାରୀଙ୍କ ଏକତରଫା ନିଷ୍ପତ୍ତି ନୁହେଁ ବୋଲି OCA କହିଛି। ଓସିଏର ଯୁକ୍ତି ଅନୁଯାୟୀ, National Sports Governance Act, ୨୦୨୫ର ନିୟମ ଏବଂ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ପରିପ୍ରେକ୍ଷୀରେ ସ୍ଥିତିର ଅନୁଧ୍ୟାନ ପାଇଁ ସାଧାରଣ ପରିଷଦ ବହୁମତରେ ନିର୍ବାଚନ ସ୍ଥଗିତ ରଖିଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗର ୨୦୨୫ ଡିସେମ୍ବର ୨୨ର ଏକ ବିଜ୍ଞପ୍ତିକୁ ମଧ୍ୟ ଓସିଏ ଦର୍ଶାଇଛି। ଅନ୍ତରୀଣ ବ୍ୟବସ୍ଥା ଭାବେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ଆଗାମୀ ନିର୍ବାଚନକୁ ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଥିବା ଓସିଏ କହିଛି। ଏହା ସହ ନିର୍ବାଚନ ସଂଘର ଆଭ୍ୟନ୍ତରୀଣ ପରିଚାଳନା ସହ ଜଡ଼ିତ ବିଷୟ। କେବଳ ନିର୍ବାଚନ ହୋଇନଥିବା କାରଣରୁ ଏହାକୁ ‘ପବ୍ଲିକ୍ ଲ’ ବିବାଦର ରୂପ ଦିଆଯାଇ ପାରିବ ନାହିଁ ବୋଲି କହିଛି ଓସିଏ। ଏଣୁ ଆସନ୍ତାକାଲିର ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର।..

Leave a Reply

Your email address will not be published. Required fields are marked *

Back to top button