
ସେପ୍ଟେମ୍ବରରେ ବୁଲିବା ପାଇଁ ୫ଟି ସର୍ବୋତ୍ତମ ସ୍ଥାନ, ଏବେଠାରୁ କରନ୍ତୁ ଟ୍ରିପ୍ର ପ୍ଲାନ୍
ସେପ୍ଟେମ୍ବରରେ ବର୍ଷା ସହିତ ଗୁଳୁଗୁଳି ମଧ୍ୟ କମିଯାଏ । ଟ୍ରିପ୍ ପାଇଁ ଏହି ସମୟ ବେଶ୍ ଭଲ ରହେ । ଆପଣ ମଧ୍ୟ ଅଗଷ୍ଟ ପରେ କୌଣସି ଟ୍ରିପ୍ ପ୍ଲାନ୍ କରିବାକୁ ଭାବୁଥିଲେ, ତେବେ ଏଠାରେ ଦିଆଯାଇଥିବା ଏହି ୫ଟି ସ୍ଥାନ ବୁଲିବା ପାଇଁ ଖୁବ୍ ଭଲ ହେବ । ଶୀଘ୍ର କରନ୍ତୁ ଟ୍ରିପ୍ର ପ୍ଲାନ୍ ।
ସେପ୍ଟେମ୍ବର ମାସରେ ଆପଣ ଅମୃତସର ଯାଇପାରିବେ:
ଏହି ସମୟରେ ଏଠାକାର ପାଗ ବେଶ୍ ଭଲ ରହିଥାଏ । ସକାଳ, ସନ୍ଧ୍ୟା ସହ ଦିନ ସମୟରେ ମଧ୍ୟ ଆପଣ ବିଭିନ୍ନ ସ୍ଥାନ ଆରାମରେ ବୁଲି ଦେଖିପାରିବେ । ବିଶେଷକରି ସ୍ୱର୍ଣ୍ଣ ମନ୍ଦିର, ଗୋବିନ୍ଦଗଡ଼ କିଲ୍ଲା, ଜଲିଆନୱାଲା ବାଗ ଓ ୱାଘା ବର୍ଡର ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଏଥିସହ ଅମୃତସର ନିଜର ସୁସ୍ୱାଦୁ ଖାଦ୍ୟ ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ
ତାମିଲନାଡୁର ହିଲ୍ ଷ୍ଟେସନ୍ କୋଡାଇକାନାଲ୍ ଯାତ୍ରା କରିପାରିବେ:
ହରିତିମା ଭରା ସ୍ଥାନକୁ ଯିବାକୁ ଚାହୁଁଥିଲେ ସେପ୍ଟେମ୍ବରରେ ତାମିଲନାଡୁର ହିଲ୍ ଷ୍ଟେସନ୍ କୋଡାଇକାନାଲ୍ ଯାତ୍ରା କରିପାରିବେ । ଏହି ସମୟରେ ଏଠାକାର ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରୁ ୨୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହେ । ବର୍ଷା ପରେ ଚାରିଆଡ଼େ ସବୁଜିମା ଛାଇଯାଏ ଏବଂ ଝରଣାଗୁଡ଼ିକ ମଧ୍ୟ ନିଜର ସର୍ବୋଚ୍ଚ ସୌନ୍ଦର୍ଯ୍ୟରେ ଥାଆନ୍ତି । ଏହା ଅଫ୍-ସିଜନ୍ ହୋଇଥିବାରୁ ରହିବା ପାଇଁ ସ୍ଥାନ ମଧ୍ୟ ସହଜରେ ମିଳିଯାଏ ।
ମହାରାଷ୍ଟ୍ରର ଲୋନାଭାଲା:
ସେପ୍ଟେମ୍ବରରେ ମହାରାଷ୍ଟ୍ରର ଲୋନାଭାଲା ମଧ୍ୟ ବୁଲିବା ପାଇଁ ଏକ ଭଲ ସ୍ଥାନ। ଏହି ମାସରେ ଏଠାକାର ଝରଣା ଓ ସବୁଜିମା ଅତ୍ୟନ୍ତ ମନୋରମ ଲାଗେ । ମେଘରେ ଢାଙ୍କି ହୋଇଥିବା ପାହାଡ଼ ଦେଖିବାର ସ୍ୱପ୍ନ ଥିଲେ, ଏହି ସମୟ ଲୋନାଭାଲା ଯିବା ପାଇଁ ଭଲ ସମୟ । ଟ୍ରେକିଂ ଓ କ୍ୟାମ୍ପିଂ ମଧ୍ୟ ଆରାମରେ କରିପାରିବେ।
ଅରୁଣାଚଳ ପ୍ରଦେଶର ଜିରୋ ଭ୍ୟାଲି:
ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଅରୁଣାଚଳ ପ୍ରଦେଶର ଜିରୋ ଭ୍ୟାଲି ଏକ୍ସପ୍ଲୋର୍ କରିବାର ସର୍ବୋତ୍ତମ ସମୟ । ଏଠାରେ ଚାରିଆଡ଼େ ସବୁଜିମା ଦେଖିବାକୁ ମିଳେ । ପାଚିଲା ଧାନର ସୁନେଲି କ୍ଷେତ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ । ଏଠାରେ ଟାରିନ୍ ଫିଶ୍ ଫାର୍ମ, ଟାଲି ଭ୍ୟାଲି ୱାଇଲ୍ଡଲାଇଫ୍ ସାଙ୍କଚୁଆରୀ, ମେଘନା ଗୁମ୍ଫା ମନ୍ଦିର, ହାପୋଲି ବଜାର ଓ କିଲେ ପାଖୋ ଭଳି ସ୍ଥାନ ବୁଲି ଦେଖିପାରିବେ । କିଲେ ପାଖୋରୁ ଭ୍ୟାଲିର ଚମତ୍କାର ପାନୋରାମିକ୍ ଦୃଶ୍ୟ ଦେଖିବାକୁ ମିଳେ ।
ହ୍ରଦର ସହର ଭାବେ ପରିଚିତ ଉଦୟପୁର:
ସେପ୍ଟେମ୍ବର ମାସରେ ରାଜସ୍ଥାନର ବିଭିନ୍ନ ସ୍ଥାନ ଏକ୍ସପ୍ଲୋର୍ କରିବା ମଧ୍ୟ ଭଲ ଅନୁଭୂତି ଦେଇଥାଏ । ଏହି ମାସରେ ଆପଣ ହ୍ରଦର ସହର ଭାବେ ପରିଚିତ ଉଦୟପୁର ବୁଲିବାକୁ ଯାଇପାରିବେ। ଏଠାରେ ୨ରୁ ୩ ଦିନର ଟ୍ରିପ୍ ପ୍ଲାନ୍ କରିପାରିବେ । ପ୍ରଥମ ଦିନ ସକାଳେ ସିଟି ପ୍ୟାଲେସ୍ ଯାଇ, ଏହାପରେ ଜଗଦୀଶ ମନ୍ଦିର, ପିଛୋଲା ହ୍ରଦ ଓ ଗଣଗୌର ଘାଟ ବୁଲିପାରିବେ । ପରଦିନ ଫତେହ ସାଗର ହ୍ରଦ, କରଣୀ ମାତା ମନ୍ଦିର ଓ ସଜ୍ଜନଗଡ଼ ପ୍ୟାଲେସ୍ ଭଳି ସ୍ଥାନ ଦେଖିପାରିବେ ।