ରାଜ୍ୟ

Maharashtra Hill Tragedy: ପାହାଡ଼ ଟ୍ରାଜେଡିର ଅସଲ କାହାଣୀ, ୩ ଜଣଙ୍କ ମୃତ୍ୟୁକୁ ନେଇ ଆସିଲା ନୂଆ ତଥ୍ୟ

ମହାରାଷ୍ଟ୍ର ପାହାଡ଼ ଟ୍ରାଜେଡି ପଛରେ ପାରିବାରିକ ବିବାଦ । ଛତ୍ରପତି ସମ୍ଭାଜୀନଗରରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପୁଅ କୁନାଲ ଚାହୁଁଥିଲେ ତାଙ୍କ ବାପା ଓ ମାଆ ମତଭେଦ ଭୁଲି ପୁଣି ଏକାଠି ରୁହନ୍ତୁ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନର ବିବାଦ ଓ ସମ୍ପତ୍ତିକୁ ନେଇ ଟଣାଓଟରା ଚାଲିଥିଲା । ଯାହା ପୂରା ପରିବାର ଉପରେ ପ୍ରଭାବ ପକାଇଥିଲା ବୋଲି କହିଛନ୍ତି କୁନାଲଙ୍କ ମାଆ ସଙ୍ଗୀତାଙ୍କ ପରିବାର । ସମ୍ଭାଜୀନଗର ଜୋନ୍-୨ ଡିସିପି ପଙ୍କଜ ଅତୁଲକରଙ୍କ ସୂଚନା ଅନୁସାରେ, ଘଟଣା ପଛରେ ପାରିବାରିକ କଳହ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୨ରୁ୩ ମାସ ଧରି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଘରେ ମାନସିକ ଚାପର ପରିବେଶ ସୃଷ୍ଟି ହୋଇଥିଲା ।

ଏଥିରେ ବିଚଳିତ ହୋଇ କୁନାଲ ଅଗଷ୍ଟ ୨୧ ତାରିଖରେ ଏଭଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ । ପାରିବାରିକ ବିବାଦର ମୂଳ କାରଣ କ’ଣ ଥିଲା ? କେଉଁ ପରିସ୍ଥିତି ଏହି ପରିବାରକୁ ଏତେ ବଡ଼ ଟ୍ରାଜେଡି ଆଡ଼କୁ ଠେଲିଦେଲା ? ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅଗଷ୍ଟ ୨୧ତାରିଖରେ କୁନାଲ ଏକ ପାହାଡ଼ର ଧାରରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ବୁଝାଇବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ କୁନାଲଙ୍କ ବାପା ଓ ମାଆ ମଧ୍ୟ ଉପସ୍ଥିତ ଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ପୁଅକୁ ପାହାଡ଼ ଧାରରୁ ଟାଣି ଆଣିବାକୁ ବାପା ଉଦ୍ୟମ କରିଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ବାପା ଓ ପୁଅ ଦୁହେଁ ପାହାଡ଼ ତଳକୁ ଖସିପଡ଼ିଥିଲେ ।

ଏହା ଦେଖିବା ପରେ କୁନାଲଙ୍କ ମାଆ ସଙ୍ଗୀତା ମଧ୍ୟ ପାହାଡ଼ରୁ ଡେଇଁ ପଡିଥିଲେ । ଅକାଳରେ ୩ ଜଣଙ୍କ ଜୀବନ ଯାଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଚାଲିଥିଲା ବୋଲି କହିଛନ୍ତି ସଙ୍ଗୀତାଙ୍କ ପରିବାର । ଏଥିରେ ସମ୍ପତ୍ତି ସମ୍ପର୍କିତ ମତଭେଦ ମଧ୍ୟ ରହିଥିଲା । ପାରିବାରିକ ଅଶାନ୍ତି କୁନାଲଙ୍କୁ ପ୍ରଭାବିତ କରିଥିଲା । ପରିବାରର କହିବା ଅନୁସାରେ, କୁନାଲଙ୍କ ଇଚ୍ଛା ଥିଲା ବାପା-ମାଆଙ୍କ ମଧ୍ୟରେ ସବୁ ବିବାଦର ଅନ୍ତ ହେଉ । ଦୁହେଁ ପୁଣି ଏକାଠି ରୁହନ୍ତୁ । ଅନ୍ୟପଟେ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ପାରିବାରିକ ବିବାଦର ପ୍ରକୃତ କାରଣ କଣ ? କେଉଁ ପରିସ୍ଥିତି ଏତେ ବଡ଼ ଟ୍ରାଜେଡିର ରୂପ ନେଲା ? ତାହା ଜାଣିବାକୁ ଚାଲିଛି ଜୋରଦାର ତଦନ୍ତ ।

Leave a Reply

Your email address will not be published. Required fields are marked *

Back to top button