
Helping Flood Victims: ବନ୍ୟା ବିପନ୍ନଙ୍କୁ ସହାୟତାର ହାତ, ଗାଁ ଗାଁ ବୁଲି ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ବାପା-ଝିଅ
ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକର ବହୁ ଗାଁ ପ୍ରଭାବିତ। ଏହି ଦୁଇଟି ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ଏମିତି ବେଳେ ଦଶରଥପୁର ପରେ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଜୟ ଧଳ ଓ ତାଙ୍କ କନ୍ୟା କାବ୍ୟାପ୍ରିୟା ଧଳ। ଗାଁ ଗାଁ ବୁଲି ବିପନ୍ନ ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି । ଛୋଟ ଛୋଟ ପିଲାଙ୍କୁ ଚକଲେଟ ଦେଉଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଉଛନ୍ତି । ଖରସ୍ରୋତାରେ ବନ୍ୟାରେ ବିଂଝାରପୁର ବ୍ଲକର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇରହିଛି । ନୂଆମାହାରା ଘାଇ ମୁହଁ ଦେଇ ପୁଣି ପାଣି ପଶିବାରୁ ଅନେକ ଗାଁରେ ସ୍ଥିତି ଗମ୍ଭୀର ରହିଛି ।
ଦୁର୍ଦଶା ଭୋଗୁଛନ୍ତି ବିଂଝାରପୁର ବ୍ଲକର ୫ରୁ ଉର୍ଦ୍ଧ୍ବ ପଂଚାୟତବାସୀ । ୧୫ଦିନରୁ ଉର୍ଦ୍ଧ୍ବ ସମୟ ଧରି ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ମାରୁଛି ବନ୍ୟାପାଣି । ସେପଟେ ବିପନ୍ନଙ୍କ ଦୁର୍ଦଶା ଦେଖି ଧୌର୍ଯ୍ୟହରା ହୋଇଉଠିଥିଲେ କାବ୍ୟା । ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଥିବାରୁ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ବିଭିନ୍ନ ସ୍ବେଛାସେବୀ ସଂଗଠନ ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଥିବାରୁ କାବ୍ୟା ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସ୍ଥିତି ସ୍ୱାଭାବିକ ନହେବା ଯାଏ ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି କାବ୍ୟାଙ୍କ ବାପା ବିଜୟ କୁମାର ଧଳ ।