
Brutal murder case: କଣାସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ତାନ୍ତ୍ରିକ ସାଜି ୨ ଲକ୍ଷ ଠକେଇ ଘଟଣାକୁ ନେଇ ହତ୍ୟା, ୩ ଗିରଫ
ପୁରୀ କଣାସରେ ନୃଶଂସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୩ ଗିରଫ । ତାନ୍ତ୍ରିକ ସାଜି ୨ ଲକ୍ଷ ଠକେଇ ପରେ ଛୁରୀ ଭୁସିବା ସହ ଜିଅନ୍ତା ପୋଡ଼ି ହତ୍ୟା । ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି l କଣାସ ମନ୍ଦାରବସ୍ତା ଗାଁର ପର୍ଶୁରାମ ପ୍ରଧାନଙ୍କୁ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ତାପଙ୍ଗର ରାଜକିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡାର ସତ୍ୟବ୍ରତ ମଲ୍ଲିକ । ସେମାନଙ୍କଠୁ ଛୁରୀ, ବାଇକ୍, ମୋବାଇଲ ଜବତ କରାଯାଇଛି l ହତ୍ୟାର କାରଣ ପ୍ରେମ, ପ୍ରତାରଣା ଓ ୨ ଲକ୍ଷ ଟଙ୍କା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ରାଜକିଶୋର ଖୋର୍ଦ୍ଧା ବଣିଆଟାଙ୍ଗି ର ଏକ କଲେଜ ପାଖରେ ଫାଷ୍ଟଫୁଡ ଦୋକାନ କରେ । ତା ଭାଇ ରାକେଶର ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ସେ ତାନ୍ତ୍ରିକ ପର୍ଶୁରାମ ସହ ଯୋଗାଯୋଗ କରି ୧୯ ହଜାର ଟଙ୍କା ଦେଇଥିଲା ।
ଏହାପରେ ପର୍ଶୁରାମ ଲୋଭ ଦେଖାଇଲା। ଜମିରେ ୧୭୦ ଗ୍ରାମ ସୁନାର ଦୁର୍ଗା ମୂର୍ତ୍ତି ଓ ଅଳଙ୍କାର ଭର୍ତି ହାଣ୍ଡି ପୋତା ହୋଇଛି କହି ଖୋଳିବା ପାଇଁ ରାଜକିଶୋରଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଠକି ନେଇଥିଲା । ଯାହାକୁ ସେ ସାଙ୍ଗମାନଙ୍କଠାରୁ ଧାର କରି ଆଣିଥିଲା। ନା କାମ ହେଲା, ନା ଟଙ୍କା ଫେରିଲା। ଶେଷରେ ପ୍ରତିଶୋଧ ନେବାକୁ ଗତ ୧୧ ତାରିଖ ରାତିରେ ରାଜକିଶୋର ଓ ସତ୍ୟବ୍ରତ ବ୍ୟାଗରେ ଲଙ୍କାଗୁଣ୍ଡ, ଅଧା ଲିଟର ପେଟ୍ରୋଲ ଓ ଛୁରୀ ନେଇ ପର୍ଶୁରାମ ଘରେ ପହଞ୍ଚିଲେ। ପରେ ସୁରେଶକୁ ଫୋନ କରି ଡାକି ବାଇକରେ ମନ୍ଦାରବସ୍ତା ନିକଟରେ ଛାଡିବାକୁ କହିଲେ। ଘରେ ପଶି ଟଙ୍କା ମାଗିବାରୁ ଯୁକ୍ତିତର୍କ ହେଲା ଓ ରାଗରେ ରାଜକିଶୋର ପେଟକୁ ଛୁରୀ ଭୁସିଦେଲା। ତାପରେ ଗାମୁଛାରେ ହାତ-ଗୋଡ-ପାଟି ବାନ୍ଧି ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ।