ଜ୍ୟୋତିଷ

Putrada Ekadashi: ଆଜି ପୁତ୍ରଦା ଏକାଦଶୀ, ପରିବାରର ସୁଖ-ସମୃଦ୍ଧି ପାଇଁ କରନ୍ତୁ ପ୍ରାର୍ଥନା

ଆଜି ଅର୍ଥାତ୍ ଅଗଷ୍ଟ ୨୩, ରବିବାର ପାଳନ ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷର ପୁତ୍ରଦା ଏକାଦଶୀ । ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ସନ୍ତାନଙ୍କ ମଙ୍ଗଳ, ପରିବାରର ସୁଖ-ସମୃଦ୍ଧି ଓ ମନୋକାମନା ପୂରଣ ପାଇଁ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।

ଚଳିତ ବର୍ଷ ଏକାଦଶୀ ତିଥି ଅଗଷ୍ଟ ୨୩ ତାରିଖ ରାତି ପ୍ରାୟ ୨ଟାରୁ ଆରମ୍ଭ ହୋଇ ଅଗଷ୍ଟ ୨୪ ତାରିଖ ସକାଳ ୪ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ । ଉଦୟା ତିଥି ଅନୁଯାୟୀ, ଗୃହସ୍ଥମାନେ ଆଜି ଅର୍ଥାତ୍ ଅଗଷ୍ଟ ୨୩ ତାରିଖରେ ଏହି ବ୍ରତ ପାଳନ କରୁଛନ୍ତି ।

ପୁତ୍ରଦା ଏକାଦଶୀକୁ କେତେକ ସ୍ଥାନରେ ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା, ଉପବାସ, ମନ୍ତ୍ର ଜପ ଏବଂ ଦାନ-ପୁଣ୍ୟ କରିବା ଦ୍ୱାରା ଶ୍ରୀହରିଙ୍କ କୃପା ଲାଭ ହୋଇଥାଏ । ସନ୍ତାନ କାମନା କରୁଥିବା ଦମ୍ପତି ଏବଂ ସନ୍ତାନଙ୍କ ସୁସ୍ଥତା ଓ ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଲୋକମାନେ ବିଶେଷ ଭାବେ ଏହି ବ୍ରତ ପାଳନ କରନ୍ତି । ଏହି ଏକାଦଶୀ ଚାତୁର୍ମାସ ସମୟରେ ପଡୁଥିବାରୁ ଏହାର ଧାର୍ମିକ ମହତ୍ତ୍ୱ ଆହୁରି ବଢ଼ିଯାଇଥାଏ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ଆରାଧନା, ସଂଯମ, ଜପ ଓ ଦାନକୁ ବିଶେଷ ମହତ୍ତ୍ୱ ଦିଆଯାଏ ।

ପଞ୍ଜିକା ଅନୁସାରେ, ଆଜି ସକାଳ ୭ଟା ୨୩ ମିନିଟରୁ ଦିନ ୧୨ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଶୁଭ ସମୟ ରହିଛି । ସେହିପରି ଅଭିଜିତ ମୁହୂର୍ତ୍ତ ସକାଳ ୧୧ଟା ୫୮ ମିନିଟରୁ ଦିନ ୧୨ଟା ୪୯ ମିନିଟ୍ ପର୍ଯ୍ୟନ୍ତ ରହିବ । ତେବେ ସ୍ଥାନ ଅନୁସାରେ ପଞ୍ଜିକା ସମୟରେ କିଛି ପରିବର୍ତ୍ତନ ହୋଇପାରେ । ସକାଳୁ ସ୍ନାନ କରି ପରିଷ୍କାର ବସ୍ତ୍ର ପରିଧାନ କରନ୍ତୁ । ପୂଜା ସ୍ଥାନକୁ ପରିଷ୍କାର କରି ଭଗବାନ ବିଷ୍ଣୁଙ୍କ ପ୍ରତିମା କିମ୍ବା ଫଟୋ ସମ୍ମୁଖରେ ଦୀପ ଜଳାନ୍ତୁ । ଏହାପରେ ବ୍ରତର ସଂକଳ୍ପ ନିଅନ୍ତୁ ।

ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ, ଚନ୍ଦନ, ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ପୂଜାରେ ତୁଳସୀ ପତ୍ର ଅର୍ପଣ କରିବା ମଧ୍ୟ ଶୁଭ ବୋଲି ମାନ୍ୟତା ରହିଛି । ଏହାପରେ ବିଷ୍ଣୁ ମନ୍ତ୍ର ଜପ କରନ୍ତୁ । ସମ୍ଭବ ହେଲେ ବିଷ୍ଣୁ ସହସ୍ରନାମ ପାଠ କରିପାରିବେ । ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁଙ୍କ ଆରତୀ କରି ବ୍ରତ କଥା ଶୁଣନ୍ତୁ ।

ଏକାଦଶୀ ବ୍ରତରେ ସାଧାରଣତଃ ଚାଉଳ ଓ ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରାଯାଇ ନଥାଏ । ଭକ୍ତମାନେ ନିଜ ସାମର୍ଥ୍ୟ ଅନୁସାରେ ନିର୍ଜଳ, ଜଳାହାର କିମ୍ବା ଫଳାହାର ବ୍ରତ ପାଳନ କରିପାରନ୍ତି । ଫଳ, କ୍ଷୀର, ମଖାନା, ସାବୁଦାନା ଭଳି ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରାଯାଇପାରେ । ପୁତ୍ରଦା ଏକାଦଶୀରେ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ନିଜ ସାମର୍ଥ୍ୟ ଅନୁଯାୟୀ ଦରିଦ୍ର ଓ ଅସହାୟ ଲୋକଙ୍କୁ ଅନ୍ନ, ବସ୍ତ୍ର କିମ୍ବା ଆର୍ଥିକ ସହାୟତା କରିବା ଶୁଭ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ତେବେ ଦ୍ୱାଦଶୀ ତିଥିରେ ନିର୍ଦ୍ଧାରିତ ସମୟରେ ବ୍ରତର ପାରଣ କରିବାକୁ ଭୁଲନ୍ତୁ ନାହିଁ । ତେଣୁ ଆଜି ପୁତ୍ରଦା ଏକାଦଶୀରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ, ତୁଳସୀ ପତ୍ର ଅର୍ପଣ କରନ୍ତୁ ଏବଂ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button