
Odia fishermen: ପୁଣି ସାମ୍ନାକୁ ଆସିଲା ଦାଦନ ମୃତ୍ୟୁ, କର୍ଣ୍ଣାଟକ ସମୁଦ୍ରରେ ବୁଡି ଚାଲିଗଲା ଓଡ଼ିଆ ମତ୍ସ୍ୟଜୀବୀଙ୍କ ଜୀବନ
ପୁଣି ସାମ୍ନାକୁ ଆସିଲା ଦାଦନ ମୃତ୍ୟୁ । କର୍ଣ୍ଣାଟକ ସମୁଦ୍ରରେ ଓଡ଼ିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ମଲଫି ସମୁଦ୍ରରେ ମାଛ ଧରିବା ବେଳେ ଅଘଟଣ ହୋଇଛି । ଗତକାଲି ମାଛ ଧରିବାବେଳେ ଟ୍ରଲରରୁ ଖସିପଡି ଥିଲେ । ତାଙ୍କ ମୃତଦେହ ରାତିରେ ଉଦ୍ଧାର ହୋଇଛି । ମୃତକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଖିରିସାହିର ରାଜୁ ବେହେରା ।
ପରିବାରର ଆର୍ଥିକ ସ୍ଥିତି ସୁଧାରିବା ସହ ଅଧିକ ରୋଜଗାର ଆଶାରେ ମାତ୍ର ୧୦ ଦିନ ତଳେ ସେ ଘରୁ ବାହାରି କେରଳ ଯାଇଥିଲେ । ସେଠାରେ ଏକ ମାଛଧରା ବୋଟ୍ରେ କାମ କରି ଗଭୀର ସମୁଦ୍ରକୁ ଯାଇଥିଲେ । କିନ୍ତୁ ମାଛ ଧରୁଥିବା ସମୟରେ ଘଟିଯାଇଥିଲା ଅଘଟଣ । ଗଭୀର ସମୁଦ୍ରରେ ରାଜୁଙ୍କ ମୃତ୍ୟୁ ହୋଇଥିବା ଖବର ଗାଁରେ ପହଞ୍ଚିବା ପରେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼ । ଯେଉଁ ପୁଅ ଘରର ଆର୍ଥିକ ଭାର କମାଇବା ପାଇଁ ପ୍ରବାସ ଯାଇଥିଲେ, ସେହି ପୁଅର ମୃତଦେହ ଫେରିବା ଖବର ପରିବାରକୁ ସ୍ତବ୍ଧ କରିଦେଇଛି ।
ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଧିକ ରୋଜଗାର ଆଶାରେ ଏହି ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଓ ଶ୍ରମିକ ପ୍ରବାସକୁ ଯାଆନ୍ତି । ଜୀବିକା ପାଇଁ ଘରଠାରୁ ଶହ ଶହ କିଲୋମିଟର ଦୂରକୁ ଯିବାକୁ ପଡ଼ୁଥିବା ବେଳେ ଏଭଳି ଦୁର୍ଘଟଣା ସେମାନଙ୍କ ପରିବାର ଉପରେ ଅକସ୍ମାତ ବିପଦ ଆଣିଦେଉଛି । ରାଜୁ ଙ୍କ ପରିବାର ଏବେ ଗୋଟିଏ ବଡ଼ ସମସ୍ୟାରେ । ଦୂର କେରଳରୁ ରାଜାଙ୍କ ମର ଶରୀର କିପରି ନିଜ ଗାଁକୁ ଫେରିବ, ସେନେଇ ପରିବାର ଚିନ୍ତାରେ ।