ଜ୍ୟୋତିଷ

କେବେ ପାଳନ କରିବେ ପୁତ୍ରଦା ଏକାଦଶୀ ବ୍ରତ? ଜାଣନ୍ତୁ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ସନାତନ ଧର୍ମରେ ଶ୍ରାବଣ ମାସର ପ୍ରତ୍ୟେକ ଦିନକୁ ଅତ୍ୟନ୍ତ ପବିତ୍ର ମନେ କରାଯାଏ । ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ଏକାଦଶୀର ଧାର୍ମିକ ମହତ୍ତ୍ୱ ବିଶେଷ ରହିଛି । ଏହାକୁ ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ ।

ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ବିଧିବିଧାନ ସହ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆରାଧନା କଲେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଥିସହ ସନ୍ତାନଙ୍କ ଜୀବନରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସରେ ପଡ଼ୁଥିବାରୁ ଏହି ବ୍ରତର ଫଳ ଅନେକଗୁଣ ବୃଦ୍ଧି ପାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ମହାଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି । ଚଳିତ ବର୍ଷ ପୁତ୍ରଦା ଏକାଦଶୀ ଅଗଷ୍ଟ ୨୩ ତାରିଖରେ ପାଳନ କରାଯିବ ।

ତିଥି ଓ ଶୁଭ ମୁହୂର୍ତ୍ତ:

ଏକାଦଶୀ ତିଥି ୨୩ ଅଗଷ୍ଟ ୨୦୨୬, ରବିବାର ରାତି ୨ଟାରୁ ଆରମ୍ଭ ହୋଇ ୨୪ ଅଗଷ୍ଟ, ସୋମବାର ଭୋର ୪ଟା ୧୮ ମିନିଟ୍‌ରେ ଶେଷ ହେବ । ଉଦୟା ତିଥି ଅନୁସାରେ ୨୩ ଅଗଷ୍ଟରେ ଶ୍ରାବଣ ପୁତ୍ରଦା ଏକାଦଶୀ ବ୍ରତ ପାଳନ କରାଯିବ ।

ପୂଜାର ଶୁଭ ମୁହୂର୍ତ୍ତ: ୨୩ ଅଗଷ୍ଟ ସକାଳ ୭ଟା ୨୩ ମିନିଟ୍‌ରୁ ଦିନ ୧୨ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ।

ବ୍ରତ ପାରଣ ସମୟ: ୨୪ ଅଗଷ୍ଟ ଦିନ ୧ଟା ୪୧ ମିନିଟ୍‌ରୁ ଅପରାହ୍ନ ୪ଟା ୧୬ ମିନିଟ୍‌ ମଧ୍ୟରେ ।

 ଶ୍ରାବଣ ପୁତ୍ରଦା ଏକାଦଶୀର ମହତ୍ତ୍ୱ:

ଧାର୍ମିକ ମାନ୍ୟତା ଅନୁଯାୟୀ, ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ବ୍ରତ ଅତ୍ୟନ୍ତ ଫଳଦାୟୀ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ପୂର୍ବଜନ୍ମର ପାପ ନଷ୍ଟ ହେବା ସହ ଘରେ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏକାଦଶୀ ବ୍ରତ ରଖିବା ଦ୍ୱାରା ମାନସିକ ଚାପ କମିବା ସହ ଶରୀରରେ ସକାରାତ୍ମକ ଶକ୍ତି ବଜାୟ ରହିଥାଏ ବୋଲି ମାନ୍ୟତା ରହିଛି ।

ପୂଜା ବିଧି:

ଏକାଦଶୀ ଦିନ ବ୍ରହ୍ମମୁହୂର୍ତ୍ତରେ ଉଠି ସ୍ନାନ କରି ସ୍ୱଚ୍ଛ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଦୀପ ଜଳାଇ ତୁଳସୀ ପତ୍ର, ହଳଦିଆ ଫୁଲ, ଫଳ ଓ ପଞ୍ଚାମୃତ ଅର୍ପଣ କରନ୍ତୁ । ପୁତ୍ରଦା ଏକାଦଶୀ ବ୍ରତ କଥା ଶୁଣିବା ସହ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ଏହି ଦିନ ଗରିବ ଲୋକଙ୍କୁ ଅନ୍ନ, ବସ୍ତ୍ର କିମ୍ବା ଫଳ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ ।

Leave a Reply

Your email address will not be published. Required fields are marked *

Back to top button