
ସୁନୀତାଙ୍କ ‘ସୁଗାର ଡ୍ୟାଡି’ ମନ୍ତବ୍ୟକୁ ନେଇ ଗୋବିନ୍ଦାଙ୍କ ପ୍ରତିକ୍ରିୟା, ଜାଣନ୍ତୁ କଣ ଦେଲେ ଉତ୍ତର
ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଏବେ ଚାଲିଛି ତୁତୁ ମେମେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନୀତା ବାରମ୍ବାର ଗୋବିନ୍ଦାଙ୍କୁ ନେଇ ଗଣମାଧ୍ୟମ ସମ୍ମୁଖରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଛି । ନିକଟରେ ସୁନୀତାଙ୍କ ‘ସୁଗାର ଡ୍ୟାଡି’ ମନ୍ତବ୍ୟ ଏବଂ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଗୋବିନ୍ଦାଙ୍କୁ ବିମାନବନ୍ଦରରେ ଦେଖାଯିବାର ଫଟୋ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ସତରେ ଅଛି କି ନାହିଁ ତାହା ନିଶ୍ଚିତ ହୋଇନାହିଁ ।
ପତ୍ନୀ ସୁନୀତା ଆହୁଜାଙ୍କୁ ନେଇ ଗୋବିନ୍ଦାଙ୍କ ପ୍ରତିକ୍ରିୟା:
ନିକଟରେ ଗୋବିନ୍ଦାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଏଥିରେ ସେ ସୁନୀତାଙ୍କ ନାଁ ନେଇ ତାଙ୍କ ଦ୍ୱାରା ଗାଳିଗୁଲଜ କରାଯାଉଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବୟାନ ପରେ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି । ଗୋବିନ୍ଦା କହିଛନ୍ତି ‘ସୁନୀତାଜୀ, ଆପଣ ବହୁତ ଗାଳି ଦେବା ଆରମ୍ଭ କରିଛନ୍ତି। ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି ଯେ, ଯଦି ଲୋକମାନେ ଆପଣଙ୍କଠାରୁ ପ୍ରେରଣା ନେଇ ଆପଣଙ୍କ ଭଳି ବ୍ୟବହାର କରିବା ଆରମ୍ଭ କରନ୍ତି, ତେବେ ଏହା ଠିକ୍ ହେବ ନାହିଁ।’
ସେ ଆହୁରି କହିଛନ୍ତି ଯେ, ଏଭଳି ଭାଷା ଯଦି ଅନ୍ୟମାନେ ତାଙ୍କ ସହ ବ୍ୟବହାର କରିବା ଆରମ୍ଭ କରନ୍ତି, ତେବେ ସମସ୍ତେ ଲଜ୍ଜିତ ହେବେ । ଗୋବିନ୍ଦା କହିଛନ୍ତି, “ଏପରି କରନ୍ତୁ ନାହିଁ । ଆପଣ ମାଆ-ଭଉଣୀଙ୍କ ନାଁକୁ ବହୁତ ଶସ୍ତା କରିଦେଇଛନ୍ତି।”
ଜଣେ ପାପାରାଜିଙ୍କ ସହ କଥା ହେଉଥିବା ସମୟରେ ଗୋବିନ୍ଦା ସୁନୀତାଙ୍କ କଥାକୁ ମଧ୍ୟ ସମାଲୋଚନା କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ନିଜ ଫାଇଦା ପାଇଁ ସୁନୀତା ତାଙ୍କୁ କୁକିଂ ଶୋ ଏବଂ ‘ଲକ୍ ଅପ୍’ରେ ଡାକିଥିଲେ । ତେବେ ଏପରି କରିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଥିବା କଥା ମଧ୍ୟ ଗୋବିନ୍ଦା କହିଛନ୍ତି ।
ସେ ଆହୁରି କହିଛନ୍ତି, “କିନ୍ତୁ ଏବେ ଯେତେବେଳେ ମୁଁ ଏକ ଫିଲ୍ମ ଆରମ୍ଭ କରିଛି, ସେତେବେଳେ ଆପଣ ମୋତେ ଲୋକଙ୍କ ନଜରରେ ତଳକୁ ଖସାଇବା, ବଦନାମ କରିବା କିମ୍ବା ମୋ କାମ ଉପରେ ପ୍ରଭାବ ପକାଇବା ପାଇଁ କୌଣସି ସୁଯୋଗ ଛାଡ଼ୁନାହାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗରିବ ପରିବାରରୁ ମଧ୍ୟ ଲୋକ ଆସନ୍ତି । ଦୟାକରି ସେମାନଙ୍କୁ ଏତେ ଅପମାନିତ କିମ୍ବା ବଦନାମ କରନ୍ତୁ ନାହିଁ ଯେ, ସେମାନେ ଭୟରେ ଚାଲିଯିବେ ।”
ନିକଟରେ ଗୋବିନ୍ଦାଙ୍କୁ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖାଯାଇଥିଲା । ଉଭୟଙ୍କ ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । କିଛି ରିପୋର୍ଟ ଅନୁସାରେ, ଉଭୟ ସେମାନଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି । ତେବେ ସେମାନଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ଥିବା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ଏହା ମଧ୍ୟରେ ଗୋବିନ୍ଦା ଓ କୋମଲ ରାଣୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ସୁନୀତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରିପୋର୍ଟରେ ତାଙ୍କ ନାଁରେ କୁହାଯାଇଥିଲା ଯେ, ଝିଅ ବୟସର ଜଣେ ଯୁବତୀଙ୍କ ସହ ଗୋବିନ୍ଦାଙ୍କୁ ଦେଖି ସେ ରାଗିଛନ୍ତି ।
ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କ:
ଗୋବିନ୍ଦା ଏବଂ ସୁନୀତା ଆହୁଜା ପ୍ରାୟ ୪୦ ବର୍ଷ ପୂର୍ବେ, ୧୯୮୭ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ, ଝିଅ ଟିନା ଆହୁଜା ଏବଂ ପୁଅ ଯଶବର୍ଦ୍ଧନ ଆହୁଜା । ବଲିଉଡ୍ର ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଗୋବିନ୍ଦା ଓ ସୁନୀତାଙ୍କ ନାଁ ରହିଛି । ବିବାହର ଏତେ ବର୍ଷ ପର୍ଯ୍ୟନ୍ତ ଉଭୟେ ପରସ୍ପରକୁ ସମର୍ଥନ କରୁଥିବା ଦେଖାଯାଇଛି ।
ନିକଟରେ ସୁନୀତା ଆହୁଜା ଫରାହ ଖାନ୍ ଏବଂ ରିତେଶ ଦେଶମୁଖ ହୋଷ୍ଟ କରୁଥିବା ଶୋ ଲକ୍ ଅପ୍ ୨: ସଚ୍ ୟା ସଜାରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏହି ଶୋ’ରେ ଗୋବିନ୍ଦା ମଧ୍ୟ ନିଜ ପତ୍ନୀଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ ।
ତେବେ ସମୟ ସମୟରେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ମଧ୍ୟ ସାମ୍ନାକୁ ଆସିଛି । ତେଣୁ ନିକଟରେ ସାମ୍ନାକୁ ଆସିଥିବା ବୟାନଗୁଡ଼ିକୁ ନେଇ ଉଭୟଙ୍କ ମଧ୍ୟରେ ନୂଆ ବିବାଦ ହୋଇଛି ବୋଲି କହିବା କିଛି ଭୁଲ୍ ହେବନାହିଁ ।